ଓଡ଼ିଶା 365 (ବ୍ୟୁରୋ): ଆଇଓସିଏଲ ଗେଟ୍ ନିକଟରେ ଉଦ୍ଧାର ସୁଟ୍କେସରେ ବୋମା ନୁହଁ ଅଛି ରେଡିଓଗ୍ରାଫି ଟେଷ୍ଟିଂ ସାମାଗ୍ରୀ। ଆଜି ସକାଳୁ ଏହି ଆଟାଚକୁ କେହି ଜଣେ ଥୋଇ ଚାଲିଯାଇଥିବା ବେଳେ ଏଥିରେ ବୋମା ଥିବା ଗୁଜବ ଚାରିଆଡ଼େ ଖେଳିଯାଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା। ସ୍ତାନୀୟ ଅଭୟଚାନ୍ଦପୁର ପୋଲିସ ଓ ସିଆଇଏସଏଫ ଏବଂ ଡଗ୍ ସ୍କା୍ର୍ଡ ଦ୍ଵାରା ଏହି ଆଟାଚକୁ ଖୋଲାଯିବା ପରେ ଏଥିରେ ବୋମା ନୁହେଁ ବରଂ ରେଡିଓଗ୍ରାଫି ଟେଷ୍ଟିଂର କିଛି ସମାଗ୍ରୀ ମିଳିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୁଟ୍କେସ ଆଣିଥିବା ବ୍ୟକ୍ତି ହେଲେ ଦେବବ୍ରତ ପଣ୍ଡା ଓ ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଶୁକ୍ଳେଶ୍ୱର ବୋଲି ଜଣାପଡିଛି। ସେ ଆଇଓସିଏଲ ମଧ୍ୟରେ ଥିବା ଏକ କମ୍ପାନୀରେ କାମ କରନ୍ତି। ଆଜି ଭୁଲ୍ ବସତଃ ଆଇଓସିଏଲ ଏକ ନମ୍ବର ଗେଟ୍ ପାଖରେ ସୁଟ୍କେସଟିକୁ ଛାଡି କମ୍ପାନୀ ଭିତରକୁ ଚାଲିଯାଇଥିଲେ। ଗେଟ୍ ବାହାରେ ଏହି ସନ୍ଦିଗ୍ଧ ସୁଟ୍କେସ୍ ପଡ଼ିଥିବା ଦେଖି ଲୋକେ ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ କର୍ତ୍ତୃପକ୍ଷ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କୁ ଜଣାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଆଇଓସିଏଲର ଉଭୟ ଫାଟକକୁ ବନ୍ଦ କରାଯାଇଥିଲା। ଫଳରେ ସେଠାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା।