ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ । ଯାହା ଅଗଷ୍ଟ ୧୦ରେ ମୁକ୍ତିଲାଭ କରିଥିଲା ବଡ଼ ପରଦାରେ । ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ୬୦୦ କୋଟି ସଂଗ୍ରହ କରିସାରିଛି । ‘ଜେଲର’ର ଏତେ ବଡ ସଫଳତା ପାଇଁ ଫିଲ୍ମର ନିର୍ମାତା ବହୁତ ଖୁସି ଅଛନ୍ତି ଏବଂ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଶୁଭେଚ୍ଛା ସହ ଉପହାରର ସୁଅ ଛୁଟୁଛି । ବର୍ତ୍ତମାନ କାଲାନିଥୀ ମାରାନ ‘ଜେଲର’ର ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ମଧ୍ୟ ୧.୫ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ପୋର୍ସେ କାର ଉପହାର ଦେଇଛନ୍ତି। ଏହା ବ୍ୟତୀତ ସେ ଅନିରୁଦ୍ଧଙ୍କୁ ଏକ ଚେକ୍ ମଧ୍ୟ ଦେଇଛନ୍ତି। ଯାହା ଟ୍ୱିଟରରେ ଭାଇରାଲ୍ ହେଉଛି ।
ସେପଟେ, ଗତ ଦୁଇ ଦିନ ତଳେ ପ୍ରଡକ୍ସନ୍ କମ୍ପାନୀର ମାଲିକ କାଲାନିଧି ମାରନ୍ ରଜନୀକାନ୍ତଙ୍କ ପାଇଁ ଏପରି ଉପହାର ଆଣିଥିଲେ, ଯାହାକୁ ଦେଖି ‘ଥାଲାଇଭା’ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଫିଲ୍ମର ପ୍ରଡକ୍ସନ୍ କମ୍ପାନୀ ‘ସନ୍ ଗ୍ରୁପ୍’ ମଧ୍ୟ ‘ଜେଲର’ର ବିପୁଳ ରୋଜଗାରରୁ କୋଟି କୋଟି ଲାଭ କରିଛି। ଏଥିରେ ସନ୍ତୁଷ୍ଟ ହୋଇ ଏହି କମ୍ପାନୀର ମାଲିକ କାଲାନିଧି ମାରାନ ନିଜେ ରଜନୀକାନ୍ତଙ୍କୁ ଏକ ମହଙ୍ଗା ଉପହାର ଦେବାକୁ ଆସିଥିଲେ। ଯାହାକୁ ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ ରଜନୀକାନ୍ତ ।
ସୂଚନା ଅନୁଯାୟୀ, ମାରାନ ଦୁଇଟି ବିଳାସପୂର୍ଣ୍ଣ କାର ସହିତ ରଜନୀକାନ୍ତଙ୍କ ଘରେ ପହଞ୍ଚି ତାଙ୍କୁ ପସନ୍ଦ କରୁଥିବା ଗୋଟିଏ ବାଛିବାକୁ କହିଥିଲେ। ଏହି ଦୁଇଟି କାର ଥିଲା ୧.୨୪ କୋଟି BMW X7 ଏବଂ ୧.୯୫ କୋଟି BMW i। କାଲାନିଧି ରଜନୀକାନ୍ତଙ୍କୁ ଏକ ନିଆରା ଉପହାର ଦେଉଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଥିବା ରଜନୀକାନ୍ତଙ୍କୁ ସରଳ କୁର୍ତ୍ତା ପାଇଜାମା ଲୁକରେ ଦେଖିବାକୁ ମିଳୁଛି। ସେପଟେ ରଜନୀ ନିଜ ନିଜ ପାଇଁ ୧.୨୪ କୋଟି ଟଙ୍କା ମୂଲ୍ୟର BMW X7 କୁ ବାଛିଥିଲେ ।