ଓଡ଼ିଶା 365 (ବ୍ୟୁରୋ): ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ଦିନକୁ ଦିନ ସରଗରମ ହେଉଛି ରାଜ୍ୟ ରାଜନୀତି । ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ ଆରଟିଆଇକୁ ଉତ୍ତର ମଗାଯାଇଥିବା ବେଳେ ଆରଟିଆଇ ପାଖରେ କୌଣସି ତଥ୍ୟ ନଥିବା କହିଥିଲା ପରିବହନ ବିଭାଗ । ଏନେଇ ବାର୍ ବାର୍ ବିରୋଧି ରାଜ୍ୟ ସରକାରଙ୍କୁ ଘେରିଆସୁଛନ୍ତି।
୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ବାବଦକୁ କେତେ ଖର୍ଚ୍ଚ ହୋଇଛି, ସେ ନେଇ ବିଜେପି ପ୍ରେସମିଟ୍ କରି ପ୍ରଶ୍ନ ଉଠାଇଥିଲା । ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ପ୍ରେସମିଟରେ କହିଥିଲେ ଯେ, ସଚିବଙ୍କ ଗସ୍ତ ବାବଦକୁ ଖର୍ଚ୍ଚ ହୋଇଛି ୫୦୦ କୋଟି ଟଙ୍କା । ଯାହା ପରେ ସଫେଇ ରଖିଥିଲେ ମନ୍ତ୍ରୀ ଟୁକୁନି ସାହୁ । ଏନେଇ ସେ ଆଗାମୀ ବିଧାନସଭା ଅଧିବେଶନରେ ହେଲିକପ୍ଟର ଉଡ଼ାଣକୁ ନେଇ ତଥ୍ୟ ରଖିବେ ବୋଲି କହିଥିଲେ ମନ୍ତ୍ରୀ । ଆଉ କହିଥିଲେ ପ୍ରକୃତରେ ଗତ ୫ବର୍ଷରେ ହେଲିକପ୍ଟର ଗସ୍ତ ବାବଦକୁ ଖର୍ଚ୍ଚ ହୋଇଛି ପ୍ରାୟ ୫୦ କୋଟି ଟଙ୍କା। ଏହାକୁ ନେଇ ଏବେ ପୁଣିଥରେ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି ବିଜେପି । ବିଜେପି କହିଛି, ଯଦି ବିଭାଗ ପାଖରେ ତଥ୍ୟ ନାହିଁ, ତା ହେଲେ ମନ୍ତ୍ରୀ କହିଲେ କ’ଣ ପାଇଁ ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଟୁକୁନି ସାହୁଙ୍କ ଏହି ମନ୍ତବ୍ୟର ଜବାବ ଦେଇଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ଟୁଇଟ୍ କରି ପରିବହନ ମନ୍ତ୍ରୀଙ୍କୁ ସେ ପ୍ରଶ୍ନ କରିିଥିଲେ ଯେ ଜଣେ ଓଡ଼ିଆ ଭାବରେ ରାଜ୍ୟରେ ଯେଉଁଭଳି ଶାସନ ବ୍ୟବସ୍ଥା ଚାଲିଛି ତାହା ଆପଣଙ୍କୁ ବ୍ୟଥିତ କରୁନାହିଁ କି । ସଚିବ ବଡ଼ ନା ମନ୍ତ୍ରୀ ବଡ଼ ଓଡ଼ିଶାରେ ଅନେକ ଦିନ ହେଲା ଏହି କଥା ଉଦବେଗର କାରଣ ସାଜିଛି । ଏବେ ଆପଣଙ୍କ ପ୍ରତିକ୍ରିୟା ପ୍ରମାଣ କଲା ଯେ ସଚିବ ବଡ଼ । ସେହିପରି ମେ ୧୪ ଜୁନ ୨୮ରେ କେଉଁ ସରକାରୀ କାର୍ଯ୍ୟରେ ହେଲିକପ୍ଟର ବ୍ୟବହାର ହୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି କୁସୁମ ଟେଟେ ।