ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଟୁଇନସିଟି ଭୁବନେଶ୍ୱର ଓ କଟକରେ ଟ୍ରାଫିକ ସମସ୍ୟା ବିଗିଡ଼ିବାରେ ଲାଗିଛି । ବିଶେଷ କରି ସନ୍ଧ୍ୟା ସମୟରେ ଏହି ଦୁଇ ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସଂଧ୍ୟାରେ ଭୁବନେଶ୍ବର ଓ କଟକ ମଧ୍ୟକୁ ଭାରିଯାନ ତଥା ଟ୍ରକକୁ ବାରଣ କରାଯାଇଛି। ଜାତୀୟ ରାଜପଥ ହେଉ କିମ୍ବା ରାଜ୍ୟ ରାଜପଥ ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବା ଉଦ୍ଦେଶ୍ୟରେ ୬ ଚକିଆ କିମ୍ବା ତଦୁର୍ଦ୍ଧ ଚକିଆ ଗାଡ଼ି ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛି ଭୁବନେଶ୍ବର କଟକ କମିଶନରେଟ ପୋଲିସ।
ଜନସାଧାରଣଙ୍କ ସୁରକ୍ଷା ଓ ସୁଗମନାଗମନ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ପୋଲିସ୍ କମିସନରେଟ୍ ଭୁବନେଶ୍ବର-କଟକ ଟ୍ରାଫିକ୍ ଓ ପବ୍ଲିକ ଅର୍ଡର ୨୦୦୮ ଧାରା ୩୪(୧) ଅନୁସାରେ ଏହି ନିୟମ ଲାଗୁ କରିଛନ୍ତି। ନୂଆ ନିଷ୍ପତ୍ତି ମୁତାବକ, ଏଣିକ ସନ୍ଧ୍ୟା ୫ଟାରୁ ୭.୩୦ ପର୍ଯ୍ୟନ୍ତ ସହର ମଧ୍ୟକୁ ୬ ଚକିଆ ଯାନ ପ୍ରବେଶ କରିପାରିବ ନାହିଁ । କସମୋପଲିସ ଛକରୁ ହଂସପାଳ, ଶିଖରପୁରରୁ ମଧୁପାଟଣା, ପିତାପଲ୍ଲୀ ଛକ ପଟୁ ଭୁବନେଶ୍ୱର ଆଡ଼କୁ ଓ ମଙ୍ଗୁଳି ଛକପଟୁ କଟକ ସହର ପର୍ଯ୍ୟନ୍ତ ବେଶି ମାତ୍ରାରେ ଟ୍ରାଫିକ ସମସ୍ୟା ଦେଖାଯାଉଛି । ତେଣୁ ଟ୍ୱିନ୍ ସିଟିକୁ ଟ୍ରକ, ଟ୍ରେଲର ଓ ହାଇୱା ପ୍ରବେଶ ନିଷେଧ କରାଯାଇଥିବା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଟ୍ୱିନ ସିଟିରେ ସକାଳ ୯ଟାରୁ ୧୧ଟା ଓ ଅପରାହ୍ଣ ୪ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ତେବେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି ।