ଓଡ଼ିଶା 365 (ବ୍ୟୁରୋ) : ଦିନକୁ ଦିନ ପାକିସ୍ତାନର ଅବସ୍ଥା ସାଙ୍ଘାତିକ ହେବାରେ ଲାଗିଛି । ବର୍ତ୍ତମାନ ଅର୍ଥନୈତିକ ଓ ରାଜନୈତି ଅଚଳାବସ୍ଥା ନେଇ ଗତି କରୁଛି ଦେଶ । ଦେଶରେ ଖାଦ୍ୟ ସାମଗ୍ରୀର ଦାମ୍ ଆକାଶଛୁଆଁ ରହିଛି । ବର୍ତ୍ତମାନ ପାକିସ୍ତାନର ଦୁଗ୍ଧ ସଙ୍କଟ ଦେଖାଦେଇଛି। ଦୁଗ୍ଧ ବିକ୍ରେତାମାନେ ମୂଲ୍ୟ ବୃଦ୍ଧି ଦାବିରେ ବିରୋଧ କରି ସୋମବାର ଠାରୁ କ୍ଷୀର କିଣିବା ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଫଳରେ କରାଚିରେ କ୍ଷୀରର ଘୋର ଅଭାବ ଦେଖାଦେଇଛି। ଦୁଗ୍ଧ ବିକ୍ରେତା ଓ ଫାର୍ମ ମାଲିକଙ୍କ ମଧ୍ୟରେ ଦୁଗ୍ଧର ମୂଲ୍ୟକୁ ନେଇ ତିକ୍ତତା ଲାଗିରହିଛି । ପ୍ରଶାସନ କ୍ଷୀର ଦାମ ଲିଟର ପିଛା ୧୮୦ପାକିସ୍ତାନ ଟଙ୍କା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କରାଚିର ବିଭିନ୍ନ ସ୍ଥାନରେ କ୍ଷୀର ଲିଟର ପିଛା ୨୨୦ଟଙ୍କା ରେ ବିକ୍ରି ହେଉଛି। ସେପଟେ ମିଲ୍କ ରିଟେଲର୍ସ ୱେଲଫେୟାର ଆସୋସିଏସନ ମହାନଗର ନିଗମରେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କ୍ଷୀର ବିକ୍ରି ବନ୍ଦ କରିବାକୁ ଘୋଷଣା କରିଛି। ଦୁଗ୍ଧ ମୂଲ୍ୟ ଉପରେ ନିଷ୍ପତ୍ତି ନେବାକୁ ସଂଘ ସ୍ଥାନୀୟ ପ୍ରଶାସନକୁ ୭୨ ଘଣ୍ଟା ସମୟ ଦେଇଛି।