ଓଡ଼ିଶା 365 (ବ୍ୟୁରୋ): କେବେ କଠୋର ଅନୁଶାସନ ତ, ପୁଣି କେବେ ଗୁରୁଙ୍କ ଉତ୍ସାହପ୍ରଦ ପ୍ରେରଣା, ବ୍ୟକ୍ତିକୁ ସାଧାରଣରୁ କରିଦିଏ ଅସାଧାରଣ । ଶିକ୍ଷା ଦିକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ ହିଁ ଜଣେ ବ୍ୟକ୍ତିକୁ କରାଏ ସଫଳ । ବିଦ୍ୟାର୍ଥୀଙ୍କ ଜୀବନରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକର ଯିଏ ପ୍ରଦୀପ ଜଳାନ୍ତି, ସେ ଗୁରୁ । ଗୁରୁ ବିନା ଜ୍ଞାନ ନାହିଁ,ଗୁରୁ ହିଁ ସର୍ବ ଶ୍ରେଷ୍ଠ ଜୀବନ ଆଲୋକର ପଥ ପ୍ରଦର୍ଶକ । ଇଶ୍ବରଙ୍କ ଅନ୍ୟ ରୂପ ଗୁରୁ । ସ୍ବୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ଚଳନ୍ତି ପ୍ରତିମା ସେ । ଭାରତରେ ଗୁରୁ-ଶିଷ୍ୟର ପରମ୍ପରା ଖୁବ ପୁରୁଣା। ଯାହା ଗୁରୁ-ଶିଷ୍ୟ ମଧ୍ୟରେ ସମ୍ପର୍କକୁ ମଜବୁତ କରେ। ପିଲାଟି ଜୀବନରେ ମାତାପିତାଙ୍କ ପରେ ଯିଏ ଶିକ୍ଷା ଦିଅନ୍ତି ସେ ହେଉଛନ୍ତି ଗୁରୁ । ବିଦ୍ୟାର୍ଥୀଙ୍କ ଛୋଟ ବଡ଼ ଭୁଲକୁ କ୍ଷମା କରି ଉଚିତ୍ ଶିକ୍ଷା ଦେଇ ଜୀବନ ଗଠନରେ ଶ୍ରେଷ୍ଠ ଭୂମିକା ଗ୍ରହଣ କରନ୍ତି,ସେ ହିଁ ଗୁରୁ।
ଆଜି ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ଏକ ଶିଶୁକୁ ଉତ୍ତମ ଶିକ୍ଷା ଦ୍ୱାରା ଭଲ ମଣିଷ ଓ ଉତ୍ତମ ନାଗରିକ କରିବାରେ ଗୁରୁଙ୍କ ଅବଦାନ ଅତୁଳନୀୟ। ସମାଜ ଗଠନ ଏବଂ ରାଷ୍ଟ୍ରଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।୧୯୬୨ ମସିହାରୁ ମହାନ ଜନନାୟକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରୁଛି ସାରା ଦେଶ। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନର୍ଥେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି। ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି କର୍ମମୟ ଜୀବନରେ ଆଗକୁ ଯିବାକୁ ।
ରାଧାକ୍ରିଷ୍ଣନ ଦେଶର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ବିତୀୟ ରାଷ୍ଟ୍ରପତି ଥିଲେ । ୧୮୮୮ ମସିହା ସେପ୍ଟେମ୍ବର ମାସ ୫ ତାରିଖରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଗ୍ରହଣ କରିଥିଲେ। ରାଧାକ୍ରିଷ୍ଣ ଏକାଧାରରେ ଜଣେ ସୁବକ୍ତା ଓ ହିନ୍ଦୁ ବିଚାରକ ସହ ଜଣେ ମହାନ ଶିକ୍ଷକ ଭାବେ ଥିଲେ ବେଶ୍ ପରିଚିତ। ତାଙ୍କ ମତ ଥିଲା, ଯଦି ପିଲାଟିକୁ ଉତ୍ତମ ଶିକ୍ଷା ମିଳେ ତାହେଲେ ସେ ନିଜର ଓ ଦେଶର ଭବିଷ୍ୟତ ଉଜ୍ବଳ କରିପାରିବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୧୯୫୪ ମସିହାରେ ରାଧାକ୍ରିଷ୍ଣନଙ୍କୁ ସମ୍ମାନ ଜନକ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।
ଭାରତ ବର୍ଷର ଗୁରୁଶିଷ୍ୟର ପରମ୍ପରା ବହୁ ପ୍ରାଚୀନ । ଗୁରୁ ଦ୍ରୋଣାଚାର୍ୟ୍ୟ, ପର୍ଶୁରାମ ଏପରି ଅନେକ ଗୁରୁଙ୍କ ଗାଥା ପୁରାଣରେ ବର୍ଣ୍ଣିତ । ଗୁରୁଙ୍କ ବେତ ପାହାର ପିଲାର ଉତ୍ତମ ଜୀବନ ଗଠନରେ ସହାୟକ ହୁଏ । କଞ୍ଚାମାଟିର ପିତୁଳାକୁ ଉଜ୍ବଳ ତାରକା ରୂପେ ଗଢିବାରେ ନିରନ୍ତର ଚେଷ୍ଟା କରିଥାନ୍ତି ଗୁରୁ । ଜୀବନରେ ଗୁରୁଙ୍କ ସ୍ଥାନ ଅପୂରଣୀୟ । ଆଜି ଗୁରୁ ଦିବସରେ ସମସ୍ତ ଗୁରୁମାନଙ୍କୁ କୋଟି କୋଟି ପ୍ରଣାମ ।