ଓଡ଼ିଶା 365 (ବ୍ୟୁରୋ): ଏସିଆ କପରେ ଗର୍ଜିଛି ରେକର୍ଡ ମ୍ୟାନଙ୍କ ବ୍ୟାଟ୍, ଅଧିନାୟକ ରୋହିତ ଶର୍ମା ୭୪ ଓ ଶୁଭମନ ଗିଲ୍ଙ୍କ ୬୭ ରନର ଅପରାଜିତ ଅର୍ଦ୍ଧଶତକ ଇନିଂସ ବଳରେ ଭାରତ ନେପାଳକୁ ୧୦ ଓ୍ଵିକେଟ୍ରେ ପରାସ୍ତ କରିଛି। ମ୍ୟାଚ୍ ଜିତିବା ସହ ‘ଗ୍ରୁପ ଏ’ ରୁ ପାକିସ୍ତାନ ପରେ ଦ୍ବିତୀୟ ଦଳ ଭାବେ ଭାରତ ସୁପର-୪ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ନେପାଳ ୪୮.୨ ଓଭରରେ ୨୩୦ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଆସିଫ ଶେଖ ସର୍ବାଧିକ ୫୮ ରନର ଇନିଂସ ଖେଳିଥିଲେ ।
ବର୍ଷା ଫଳରେ ଡିଏଲଏସ ଅନୁସାରେ ଧାର୍ୟ୍ୟ ୧୪୫ ରନର ବିଜୟ ଲକ୍ଷ୍ୟକୁ ଭାରତ ୨୦.୧ ଓଭରରେ ବିନା ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ଓ୍ଵିକେଟ୍ ହାସଲ କରିଥିଲେ। ଏସିଆ କପରେ ନେପାଳ ପ୍ରଥମ ଦଳ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଏବେ ସୁପର-୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୦ ତାରିଖରେ ଦେଖିବାକୁ ମିଳିବ ହାଇଭୋଟଲେଜ୍ ମ୍ୟାଚ୍ ।