ଓଡ଼ିଶା 365 (ବ୍ୟୁରୋ) : ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ହିଂସାକାଣ୍ଡ । ସେନା ଓ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ବୁଧବାର ସକାଳ ସମୟରେ ପୂର୍ବ ଗୋମା ସହରରେ ଏହି ହିଂସାକାଣ୍ଡ ଘଟିଥିବା ସ୍ଥାନୀୟ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।ୱାଜାଲେଣ୍ଡୋ ଅନୁଗାମୀମାନେ ଜାତିସଂଘର ଶାନ୍ତି ରକ୍ଷା ମିଶନ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପୂର୍ବ ଗୋମା ସହରରେ ଏକାଠି ହୋଇଥିଲେ । ଏହା ପୂର୍ବରୁ ବିରୋଧ ପ୍ରଦର୍ଶନ ଉପରେ ସ୍ଥାନୀୟ ମେୟର ପ୍ରତିବନ୍ଧକ ଲଗାଇଥିଲେ । କଙ୍ଗୋ ସେନା ବିକ୍ଷୋଭକାରୀଙ୍କୁ ବିରୋଧ କରିଥିଲେ । ଏହି ସମୟରେ କଙ୍ଗୋ ସେନା ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ କଙ୍ଗୋ ସେନା କହିଛି ଯେ, ବିକ୍ଷୋଭକାରୀ ମାନେ ପଥର ମାଡ କରିବାରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଫଳରେ ୧୬୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି ।ଉତ୍ତର କିଭ ଅଞ୍ଚଳରେ ସିଭିଲ୍ ସୋସାଇଟିର ଉପ ସଭାପତି ପ୍ଲାସିଡ୍ ନଜିଲାମ୍ବା ଗୁରୁବାର କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ସେନା ଓ ବିକ୍ଷୋଭକାରୀଙ୍କ ସଂଘର୍ଷରେ ୨୬ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୫୦ ଜଣ ଆହତ ହୋଇଛନ୍ତି ।
ଗୋମାର ନିକଟସ୍ଥ ନଡୋଶୋ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ଗୋମା ମେୟର ଫ୍ୟୁଷ୍ଟିନ ନାପେଣ୍ଡା କାପେଣ୍ଡ ଅଗଷ୍ଟ ୨୩ ରେ ବିକ୍ଷୋଭ ପ୍ରଦର୍ଶନ ଉପରେ ରୋକ ଲଗାଇଥିଲେ । ବିରୋଧ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ବୁଧବାର କଙ୍ଗୋ ସୁରକ୍ଷାକର୍ମୀ ଓ ପ୍ରତିରକ୍ଷା ବାହିନୀ ପ୍ରମୁଖ ଛକରେ ନିୟୋଜିତ ହୋଇଥିଲେ । ଏହି ସମୟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ବିରୋଧ ପ୍ରଦର୍ଶନ କରୁଥିବା ଧାର୍ମିକ ଗୋଷ୍ଠୀର ମୁଖ୍ୟ ହେଉଛନ୍ତି ଇଫ୍ରୟିମ ବିସିମୱା, ଯିଏ କି କଙ୍ଗୋରେ ଥିବା ୟୁଏନ ଶାନ୍ତି ରକ୍ଷା ମିଶନ ସମେତ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ପାଶ୍ଚାତ୍ୟ ସଂଗଠନକୁ ବିରୋଧ କରୁଛନ୍ତି । କଙ୍ଗୋରେ ଶାନ୍ତି ନିମନ୍ତେ ୧୯୯୯ରେ ଜାତିସଂଘର ଶାନ୍ତି ରକ୍ଷା ମିଶନ କାର୍ଯ୍ୟ ଆରମ୍ଭ କରିଥିଲା ।
ଜାତିସଂଘର ସୂଚନା ଅନୁଯାୟୀ, ଉତ୍ତର-ପୂର୍ବ ଅଞ୍ଚଳରେ ତିନି ଦଶନ୍ଦି ଧରି ବିବାଦ ଲାଗି ରହିଥିବାରୁ ୬ ମିଲିୟନରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୨୦୨୧ ମସିହା ପର ଠାରୁ ବିବାଦ ଆହୁରି ବଢିଚାଲିଛି । ଜାତିସଂଘର ଶାନ୍ତି ରକ୍ଷା ମିଶନ ୨୦୨୨ ଜୁଲାଇରେ ବିବାଦ ମଧ୍ୟରୁ ସାଧାରଣ ଲୋକଙ୍କୁ ରକ୍ଷା କରିବାରେ ଏତେଟା କାର୍ଯ୍ୟ କରିପାରିନଥିବା ଚର୍ଚ୍ଚା ହେଉଛି ।