ଓଡ଼ିଶା 365 (ବ୍ୟୁରୋ): ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଚଳନ୍ତା ବସକୁ ଭାଙ୍ଗିଲା ଦନ୍ତା । ଓଡ଼ିଶା ଆନ୍ଧ୍ର ସୀମା ଠାରୁ ପ୍ରାୟ ୧୦ କିଲୋମିଟର ଦୂର ଅର୍ତମ ଗାଁ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି। ଭିଡିଓଟିରେ ଏକ ଚଳନ୍ତା ଘରୋଇ ବସକୁ ଅଟକାଇ ତା ଉପରେ ଆକ୍ରମଣ କରୁଛି ଗଜରାଜ। ରାୟଗଡ଼ାଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ର ପ୍ରଦେଶ ରାଜ୍ୟ ପାର୍ବତୀପୁରମ ଯାଉଥିବା ବେଳେ ହଠାତ ଏକ ଦନ୍ତାହାତୀ ରାସ୍ତା ଉପରକୁ ମାଡି ଆସିଥିଲା। ଏହାପରେ ବସ୍ ଅଟକି ରହିଥିଲା। ସେହି ସମୟରେ ଦନ୍ତା ହାତୀଟି ଆକ୍ରମଣ କରିଥିଲା ବସ ଉପରକୁ।
କେବଳ ସେତିକି ନୁହେଁ ହାତୀ ଉଗ୍ର ରୂପ ଧାରଣ କରି ବସର କାଚ ଭାଙ୍ଗିବା ସହ ବଳ ଲଗାଇ କିଛି ବାଟ ପଛକୁ ଠେଲି ଦେଇଥିଲା। ତେବେ ଡ୍ରାଇଭରର ପ୍ରତିତପନ୍ନ ବୁଦ୍ଧି ଯୋଗୁବସରେ ଥିବା ପ୍ରାୟ ୩୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦନ୍ତା ହାତୀ ସହିତ ୫ଟି ହାତୀ ରହିଥିବା ସୂଚନା ମିଳୁଛି। ଏହି ଛୋଟିଆ ହାତୀପଲ ଦଳଟି ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲା ଅନ୍ତର୍ଗତ ତୋଟାପେଲି ଜଳଭଣ୍ଡାର କୁଳେ ନାଗାବଳୀ ନଦୀର ଆରପଟେ ଚଳପ୍ରଚଳ କରୁଥିବାବେଳେ ଓଡ଼ିଶା ସୀମାର ଅନିଜା, ଆମ୍ପଲୱାଲସା, କେରେଡା କୁନେରୁ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି।