ଓଡ଼ିଶା 365 (ବ୍ୟୁରୋ): ୩ ମାସରୁ ଅଧିକ ଦିନ ହୋଇଗଲାଣି ବାହାନଗା ରେଳ ଦୁର୍ଘଟଣା ଘଟଣା। ହେଲେ ଏଯାଏଁ ଏମ୍ସରେ ପଡି ରହିଛି ୨୮ ଶବ । ମୃତଦେହର ଚିହ୍ନଟ ହୋଇପାରି ନାହିଁ । ଏହାସହ ଗତ ୧୦ ଦିନ ହେବ ମୃତଦେହ ଚିହ୍ନଟ ପାଇଁ କେହି ବି ଆସି ନଥିବା କହିଛନ୍ତି ଏମ୍ସ ସୁପରିଟେଣ୍ଡେଣ୍ଟ ଡକ୍ଟର ଦୀଲିପ କୁମାର ପରିଡା । ଏଭଳି ସ୍ଥିତିରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ରେଳମନ୍ତ୍ରଣାଳୟର ନିଷ୍ପତ୍ତି ପରେ ଏହି ଅଜ୍ଞାତ ଶବ ଗୁଡିକୁ ସଂସ୍କାର କରାଯିବ ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।
ସେପଟେ ୩ ଦିନ ତଳେ ଏହି ମାମଲାର ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ସିବିଆଇ ତରଫରୁ ରେଳ ବିଭାଗର ୩ଜଣ କର୍ମଚାରୀଙ୍କ ନାମରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ସିବିଆଇ ତରଫରୁ ରେଳ ବିଭାଗର କର୍ମଚାରୀ ଅରୁଣ କୁମାର ମହାନ୍ତ, ଅମୀର ଖାନ ଓ ପପୁ କୁମାରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ବାହାନଗା ରେଳ ଦୁର୍ଘଟଣା ମାମଲାରେ ଜୁଲାଇ ୭ ତାରିଖରେ ଏହି ୩ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ସିବିଆଇ ତରଫରୁ ଅଦାଲତରେ କୁହାଯାଇଛି କି, ବାହାନଗା ରେଳ ଷ୍ଟେସନର ଉତ୍ତର ଗୁମୁଟି କାର୍ଯ୍ୟ ସମୟରେ ଲେବଲ କ୍ରସିଂ ଗେଟ୍ ନଂ-୯୪ର ଅପରେଶନକୁ ୧୧୦ ଭୋଲ୍ଟ ଏସି ରୁ ୨୪ ଭୋଲ୍ଟ ଡିସିକୁ ପରିବର୍ତ୍ତନ କରାଯାଇଥିଲା । ଏଥିପାଇଁ ଅନ୍ୟ ଲେବଲ କ୍ରସିଂ ଗେଟ ସଂଖ୍ୟା ୭୯ କୁ ବିଶିଷ୍ଟ ସର୍କିଟ ସ୍କେଟକୁ ବ୍ୟବହାର କରାଯାଇଥିଲା ।