ଓଡ଼ିଶା ୩୬୫ (ବ୍ୟୁରୋ): ୨୪ ନିର୍ବାଚନରେ ସରକାରଙ୍କୁ ଘେରିବାକୁ ୧୦୮ ପ୍ରସଙ୍ଗର ଚାର୍ଜସିଟ୍ ପ୍ରସ୍ତୁତ କରିଛି ବିଜେପି। ଏଥିରେ ଫାଇଭ-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ମଧ୍ୟ ରହିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଏହା ସହ ଶ୍ରୀ ମିଶ୍ର କହିଛନ୍ତି କେଉଁ କ୍ଷମତା ବଳରେ ସଚିବ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି । କେଉଁ କ୍ଷମତାରେ ଓଡଶାର ସବୁ କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି । ଏହାଛଡା କୋଇଲା ଦୁର୍ନୀତି ଠାରୁ ଆରମ୍ଭ କରି ଲୁହା ପଥର ଦୁର୍ନୀତି ଯାଏଁ ଚାର୍ଜସିଟରେ ସ୍ଥାନ ପାଇଛି । ସରକାରଙ୍କ ବିଫଳତା, ଦୁର୍ନୀତିରେ ଲିପ୍ତ ରହିବା ପ୍ରସଙ୍ଗ, ପୁରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିଛି ବୋଲି କହିଛନ୍ତି ଜୟନାରାୟଣ । ପଂଚାୟତସ୍ତରରେ ଏବେ ଆନ୍ଦୋଳନ ଆରମ୍ଭ ହୋଇଛି, ପଂଚାୟତ ଅଫିସ ସମ୍ମୁଖରେ ଧାରଣା ବିକ୍ଷୋଭ ଚାଲିଛି । ତେଣୁ ପଂଚାୟତଠୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦିଆଯିବ ।
ଏପଟେ ବିଜେପିର ଚାର୍ଜସିଟର ଜବାବ ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ନିର୍ବାଚନ ବର୍ଷ ଅଛି ବିରୋଧୀ ଦଳ ଏଭଳି ଅଭିଯୋଗ କରିବେ । ଆମେ ଲୋକଙ୍କ ସହ ଅଛୁ । ନିର୍ବାଚନ ଆଗରୁ ଯେଉଁମାନେ ଲୋକଙ୍କ ପାଖକୁ ଯାଉନଥିଲେ, ସେମାନେ ତ ପୁଣି କିଛି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବେ । ତେଣୁ ଏଇ ଚାର୍ଜସିଟକୁ ଆଳ କରି ଲୋକଙ୍କ ପାଖକୁ ଯିବାକୁ ବିରୋଧୀ ଯୋଜନା କରୁଛନ୍ତି ।