ଓଡ଼ିଶା 365 (ବ୍ୟୁରୋ): ସଫଳ ହେଉଛି ଇସ୍ରୋ ,ମହାକାଶ ଗବେଷଣା କ୍ଷେତ୍ରରେ ଆଗକୁ ବଢୁଛି ଭାରତ। ଗୋଟିଏ ପରେ ଗୋଟିଏ ଅଭିଯାନ ସଫଳତା ଆଡକୁ ଗତି କରୁଛି। ସେପ୍ଟେମ୍ବର ୨. ୧୧ଟା ୫୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଆଦିତ୍ୟ-ଏଲ୍୧କୁ ଉତକ୍ଷେପଣ କରାଯାଇଥିଲା।ଏଯାଏ ମିଶନ ସୂର୍ୟ୍ୟର ଅଭିଯାନରେ ଆଦିତ୍ୟ-ଏଲ୍୧ ଉତକ୍ଷେପଣ କରିବା ପରେ ପୃଥିବୀ ଚାରିପଟେ ସଫଳତାର ସହ ଏହାର ପ୍ରଥମ କକ୍ଷପଥ ପରେ ସଫତାର ଦ୍ୱିତୀୟ ପାହାଚରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ଇସ୍ରୋ।
ଶନିବାର ସୂର୍ଯ୍ୟ ଅଭିମୁଖ ବାହାରିଥିବା ଆଦିତ୍ୟ ଏଲ-୧ ସାଟେଲାଇଟ୍ ସଫଳତାର ସହ ପୃଥିବୀର ପ୍ରଥମ କକ୍ଷପଥ ବଦଳାଇଥିଲା। ଏବେ ଦ୍ୱିତୀୟ କକ୍ଷପଥରେ ରହିଛି ସେଟଲାଇଟ୍। ସୂର୍ଯ୍ୟଙ୍କ ବାହ୍ୟସ୍ତରର ରହସ୍ୟ ଏବଂ ମହାକାଶ ପାଣିପାଗ ଉପରେ ଏହାର ପ୍ରଭାବକୁ ବୁଝିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଇସ୍ରୋ କହିଛି ଯେ ଉପଗ୍ରହଟି ସୁସ୍ଥ ଅଛି ଏବଂ ସ୍ବାଭାବିକ ଭାବେ କାର୍ୟ୍ୟ କରୁଛି। ଶନିବାର ଲଞ୍ଚ ହେବାର ୬୩ ମିନିଟ୍୨୦ସେକେଣ୍ଡରେ ପୃଥିବୀ କକ୍ଷପଥରେ ପହଞ୍ଚିଥିଲା ଆଦିତ୍ୟ ଏଲ୍-୧ ।
୨୩୫ କିମି ଏକ୍ସ ୧୯,୫୦୦କିମି ଅଣ୍ଡାକାର କକ୍ଷପଥରେ ପୃଥିବୀ ଚାରିପଟେ ବୁଲିବା ଆରମ୍ଭ କରିଥିଲା । ରବିବାର ଏହାକୁ ପୃଥିବୀର ୨୪୫ କିମି ଏକ୍ସ ୨୨,୪୫୯କିମି ଅଣ୍ଡାକାର କକ୍ଷପଥରେ ଛଡ଼ାଯାଇଥିଲା । ସେପ୍ଟେମ୍ବର ୫ ତାରିଖ ଦିନ ୩ଟାରେ ପୃଥିବୀର ତୃତୀୟ କକ୍ଷପଥରେ ଛଡ଼ା ଯିବାକୁ ଯୋଜନା କରୁଛି ଇସ୍ରୋ। ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ ଆଦିତ୍ୟ ଏଲ୍-୧ । ଏହି ସମୟରେ ୫ ଥର ତାର କକ୍ଷପଥ ବଦଳାଯିବ । ସୂର୍ଯ୍ୟର ଗତିବିଧି ଉପରେ ଅନୁଧ୍ୟାନ କରିବ ।୧୫ଲକ୍ଷ୍ୟ କିଲୋମିଟର ଗତି କରି ସୂର୍ଯ୍ୟ ପୃଥିବୀ ବ୍ୟବସ୍ଥାରେ ଥିବା ହଲୋ ଅରର୍ବିରେ ପହଞ୍ଚିବ। ସେହି ସ୍ଥାନରେ ରହି ସୂର୍ଯ୍ୟ ଉପରେ ଗବେଷଣା କରିବ।
ସେପଟେ ୧୪ ଦିନଧରି ଦାୟିତ୍ବ ସମ୍ପାଦନ ପରେ ସ୍ଲିପ ମୋଡ଼ରେ ରହିଛି ପ୍ରଜ୍ଞାନ ରୋଭର । ଚନ୍ଦ୍ରରେ ରାତି ଆସିବା ସହ ଶୋଇଯାଇଛି ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ଯାହା ଗବେଷଣା କରିଛି ଲ୍ୟାଣ୍ଡର ପୃଥିବୀକୁ ପଠାଇଛି। ଶିବଶକ୍ତି ପଏଣ୍ଟ ଠାରୁ ୧୦୧.୪ ମିଟର ବାଟ ଅତିକ୍ରମ କରି ନିଜ କାମ ଶେଷ କରିଛି ରୋଭର । ରୋଭରରେ ରହିଥିବା ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜ ରହିଛି । ତେଣୁ ସେପ୍ଟେମ୍ବର ୨୨ରେ ଚନ୍ଦ୍ରରେ ପରବର୍ତୀ ସୂର୍ୟ୍ୟେଦୟ ହେଲେ ରୋଭର ସୋଲାର ପ୍ୟାନେଲ କାର୍ୟ୍ୟକ୍ରମ ହେବ ବୋଲି ଆଶା ରଖିଛି ଇସ୍ରୋ । ରୋବର ନିଦରୁ ଉଠିଲେ ପୁଣି ନୂଆ ଦାୟିତ୍ବ ତୁଳାଇବ,ଯଦି ନିଦ ନଭାଙ୍ଗେ ଭାରତର ରାଷ୍ଟ୍ରଦୂତ ହୋଇ ଚିରଦିନ ରହିବ ଚନ୍ଦ୍ରରେ।