ଓଡ଼ିଶା 365 (ବ୍ୟୁରୋ) : ଜଳବାୟୁର ପରିବର୍ତ୍ତନ ଯୋଗୁ ଶରୀର ସାମାନ୍ୟ ଅସୁସ୍ଥ ହୋଇପଡେ । ତେବେ ଏହିସମୟରେ ଆପଣ ମାନେ ଯଥା ସମ୍ଭବ ଔଷଧ ନଖାଇ ଘରୋଇ ଉପଚାର କରିବା ନିହାତି ଜରୁରୀ । ସେ ଥଣ୍ଡା, କାଶ, ହେଉ କି ଜ୍ଵର ହୋଉ ବାସଙ୍ଗ ପତ୍ର ରସ ୨ ଚାମଚ, ଅଦାରସ ୨ ଚାମଚ, କଳା ତୁଲସୀ ପତ୍ର ୨ ଚାମଚ ମିଶାଇ ସକାଳ ଓ ସଂଧ୍ୟାରେ ଖାଲିପେଟରେ ଖାଇବେ । ଏହା ସହିତ ମହୁ ଚାରିଚାମଚ ମିଶାଇ ଖାଇଲେ ଅଧିକ ଫାଇଦା ମିଳିଥାଏ । ଖାଲି ସେତିକି ନୁହେଁ ଛାତିରେ କଫ ଜମି ରହି ନିଃଶ୍ଵାସ ନେବାରେ କଷ୍ଟ ହେଉଥିଲେ ଗୁଆଘିଆ ୨ ଚାମଚ ନେଇ ତହିଁରେ ସାମାନ୍ୟ ଲୁଣ ମିଶାଇ ଉଷୁମ କରି ଛାତିରେ ମାଲିସ କରିବେ । ଶିଶୁମାନଙ୍କ ପାଇଁ ଗୋଟିଏ ପାନପତ୍ର ଉପରେ ଏହି ଉଷୁମ ଘିଅ ମାଲିସ କରି ରାତିରେ ଶୋଇବା ସମୟରେ ଛାତି ଉପରେ ପଟି ପକାଇଲେ ଉତ୍ତମ ଫଳ ଲାଭ ହୋଇଥାଏ ।
ମୁଣ୍ଡବ୍ୟଥା ସହିତ କମ୍ପ ଜ୍ଵର ହେବା ଏବଂ ଝାଳବୋହି ଜ୍ଵର ଛାଡିଗଲେ ଗଙ୍ଗଶିଉଳୀ ପତ୍ର ରସ ଦୁଇଚାମଚ ମହୁ ସହିତ ମିଶାଇ ଦିନକୁ ୩ ଥର ସେବନ କରିବେ । ଅଧାକପାଳୀ ବା ସଂପୂର୍ଣ୍ଣ ମୁଣ୍ଡବିନ୍ଧିଲେ ଅଦା ରସ ସହିତ ଡାଲଚିନିକୁ ଘୋରି ମଥାରେ ମାଲିସ କଲେ ମୁଣ୍ଡବିନ୍ଧା ଉପଶମ ହୁଏ ।ଆଖିଧରା ବା ଆଖିରେ ବାଲି ପଶିବା ଭଳି ଲାଗିଲେ କିମ୍ବା ଆଖିରୁ ପାଣି ଗଡି ବେଦନା ହେଲେ ବିଶୁଦ୍ଧ ପହ୍ମମଧୁ ଦୁଇ ବୁନ୍ଦା ଆଖିରେ ପକାଇବେ କିମ୍ବା ମା’ କ୍ଷୀର ୨/୩ ବୁନ୍ଦା ଆଖିରେ ପକାଇଲେ ଉପଶମ ହୁଏ ଅଥବା ଏକ ଗ୍ଲାସ ଜଳରେ ପାଞ୍ଚଗ୍ରାମ୍ ଫିଟିକିରି ଚୂର୍ଣ୍ଣ ପକାଇ ନିଆଁରେ ଫୁଟାଇବେ । ଫିଟିକିରି ମିଳାଇ ଗଲେ ସେହି ଜଳକୁ ରଖିବେ, ଥଣ୍ଡା ହେଲେ ସେହି ଫିଟିକିରି ଜଳକୁ ଚକ୍ଷୁରେ ବାରମ୍ଭାର ସିଞ୍ଚନ କଲେ ଉପଶମ ହୁଏ ।