ଓଡ଼ିଶା 365 (ବ୍ୟୁରୋ) : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ହିନ୍ଦୁଧର୍ମ’କୁ ନେଇ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଡ଼ା ନିନ୍ଦା କରିଛନ୍ତି । ରାଜସ୍ଥାନର ଡୁଙ୍ଗରପୁରରୁ ବିଜେପିର ‘ପରିବର୍ତ୍ତନ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବା ଅବସରରେ ସେ କହିଛନ୍ତି, ବିରୋଧୀ ମେଣ୍ଟ ହିନ୍ଦୁଧର୍ମକୁ ଘୃଣା କରୁଛି। ଭୋଟ ବ୍ୟାଙ୍କ ପାଇଁ ‘ଘମଣ୍ଡିଆ ଗଠବନ୍ଧନ’ ଯେକୌଣସି ସ୍ତରକୁ ଯାଇପାରେ। ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ୨୦୨୪ ଜାନୁଆରିରେ ଉଦ୍ଘାଟିତ ହେବ। ବିରୋଧୀ ମେଣ୍ଟ ଏହାକୁ ଅଟକାଇ ପାରିବ ନାହିଁ। କଂଗ୍ରେସ ଏହାକୁ ଅନେକ ବର୍ଷ ଧରି ଅଟକାଇ ଆସିଥିଲା। ସନାତନ ଲୋକଙ୍କ ହୃଦୟରେ ରାଜ କରୁଛି। ଏହାକୁ କେହି ହଟାଇପାରିବେ ନାହିଁ ବୋଲି ଶାହ କହିଥିଲେ। ବର୍ତ୍ତମାନ ବିରୋଧୀ ମେଣ୍ଟ ଇଣ୍ଡିଆର ନେତାମାନେ ଭୋଟବ୍ୟାଙ୍କ ତଥା ତୁଷ୍ଟୀକରଣ ରାଜନୀତି ନିମନ୍ତେ ସନାତନ ଧର୍ମ ବିରୋଧରେ ମତ ରଖୁଛନ୍ତି ।