ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ । ଏଥିପାଇଁ ଝିଅମାନେ ଅନେକ ଉପାୟ ଆପଣେଇଥାନ୍ତି । ସେଲିବ୍ରିଟିମାନେ ମଧ୍ୟ ଅଧିକାଂଶ ସମୟରେ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ବେଶ୍ ପସନ୍ଦ କରିଥାନ୍ତି । ହେଲେ ଏହି ପ୍ଲାଷ୍ଟିକ୍ ସର୍ଜରୀ ଆପଣଙ୍କ ଜୀବନ ନେଇପାରେ ତାହା କେହିଁ ଭାବନ୍ତି ନାହିଁ । ଏହା ଆପଣଙ୍କ ଶରୀର ପାଇଁ ଅନେକ ବିପଦ ସୃଷ୍ଟି କରିଥାଏ । ଏହି ସମୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଚାଲିଯାଇଛି ଅଭିନେତ୍ରୀ ସିଲଭିନା ଲୁନାଙ୍କ ଜୀବନ ।
ସୂଚନା ଅନୁଯାୟୀ, ଆର୍ଜେଣ୍ଟିନାର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ସିଲଭିନା ଲୁନାଙ୍କ ଦେହାନ୍ତ ହୋଇଛି। ମାତ୍ର ୪୩ ବର୍ଷ ବୟସରେ ଜୀବନ ହାରିଛନ୍ତି ସିଲଭିନା । ସେ ଦୀର୍ଘ ବର୍ଷ ଧରି ଗୁରୁତର ଭାବେ ଅସୁସ୍ଥ ଥିଲେ ଏବଂ କିଛି ଦିନ ହେବ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। କସମେଟିକ୍ ସିର୍ଜରୀ ହେତୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା। କିଛି ବର୍ଷ ପୂର୍ବେ କରାଯାଇଥିବା କସମେଟିକ୍ ସିର୍ଜରୀ ସମୟରେ ଅଭିନେତ୍ରୀଙ୍କ ଶରୀରରେ ଏକ ବିଷାକ୍ତ ପଦାର୍ଥ ପ୍ରୟୋଗ କରାଯାଇଥିଲା, ଯାହା ତାଙ୍କ କିଡନୀରେ ବିଶେଷ ପ୍ରଭାବ ପକାଇଥିଲା । ଯେଉଁଥିପାଇଁ ସିଲଭିନାଙ୍କ ମୃତ୍ୟୁ ଘଟିଛି । ସେପଟେ ସିଲଭିନାଙ୍କ ମୃତ୍ୟୁକୁ ତାଙ୍କ ଓକିଲ ଫର୍ନାଣ୍ଡୋ ବର୍ଲାଣ୍ଡୋ ନିଶ୍ଚିତ କରିଛନ୍ତି।