ଓଡ଼ିଶା 365 (ବ୍ୟୁରୋ): ବଙ୍ଗୋପସାଗରରେ ଘନୀଭୂତ ଘୂର୍ଣ୍ଣିବଳୟ ଆଜି ରାତି ସୁଦ୍ଧା ନେବ ଲଘୁଚାପର ରୂପ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥି ପାଇଁ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଅଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତା ୧୩ ତାରିଖରୁ ସୃଷ୍ଟି ହେବ ଦ୍ବିତୀୟ ଲଘୁଚାପ । ଏହାର ପ୍ରଭାବରେ ୧୫ ତାରିଖ ଯାଏ ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବନି । ଏ ମାସରେ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଲଘୁଚାପ ହେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୪ ତାରିଖ ରାତି ବା ୫ ତାରିଖ ସକାଳୁ ପ୍ରଥମ ଲଘୁଚାପ ହେବ । ୮ ତାରିଖରେ ଏହା ସ୍ଥଳଭାଗକୁ ଯିବ । ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖ ଯାଏ ବର୍ଷା ହେବ । ଉପକୂଳ ଓଡ଼ିଶାରେ ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତର ଆଶଙ୍କା ରହିଛି । ଉତ୍ତର ଆଭ୍ୟନ୍ତରରେ ୪ରୁ ବର୍ଷା ହେବ । ଏହି ଅଞ୍ଚଳରେ କମ୍ ବର୍ଷା ହୋଇପାରେ । କିନ୍ତୁ ପ୍ରବଳ ବଜ୍ରପାତର ଆଶଙ୍କା ରହିଛି । ସେହିପରି ଦକ୍ଷିଣ ଆଭ୍ୟନ୍ତରରେ ୫ରୁ ବର୍ଷା ହେବ । ୫ ଓ ୬ରେ ଘନ ଘନ ବଜ୍ରପାତ ମାଡ଼ ହେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା କମ୍ । ପ୍ରବଳ ବର୍ଷା ହେବାର ସମ୍ଭାବନା ଥିଲେ ବି ଲଗାଣ ବର୍ଷା ହେବନି ।
ସେପଟେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୭ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୪ ତାରିଖରେ ପୂରା ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୫ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ଅଛି । ୭ରେ ମଧ୍ୟ ପୂରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ୪ରେ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହୋଇପାରେ । ୫ରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, ରାୟଗଡ଼ା, ନୂଆପଡ଼ା, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ କଳାହାଣ୍ଡିରେ ଭାରୀ ବର୍ଷା ସମ୍ଭାବନା ଅଛି ।