ଓଡ଼ିଶା 365 (ବ୍ୟୁରୋ) :ଏସିଆ କପ୍ ୨୦୨୩ର ଚତୁର୍ଥ ମ୍ୟାଚ୍ରେ ଲାହୋରର ଗଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଆକର୍ଷଣୀୟ ମ୍ୟାଚରେ ବାଂଲାଦେଶର ପ୍ରଦର୍ଶନ ଖୁବ୍ ପ୍ରସଂଶନିୟ ରହିଥିଲା । ଏଥିରେ ମୁହାଁମୁହିଁ ହୋଇଥିଲେ ବାଂଲାଦେଶ ଓ ଆଫଗାନିସ୍ତାନ । ତେବେ ଏହି ମ୍ୟାଚ୍ରେ ଆଫଗାନିସ୍ତାନକୁ ୮୯ ରନରେ ପରାସ୍ତ କରି ସୁପର ୪ ପର୍ଯ୍ୟାରେ ପହଞ୍ଚିବା ସ୍ବପ୍ନକୁ ଉଦ୍ଜୀବିତ ରଖିଛି । ଅନ୍ୟପଟେ ବଡ଼ ବ୍ୟବଧାନରେ ପରାଜୟ ସହ ଆଫଗାନିସ୍ତାନର ମୁସ୍କିଲ ବଢି ଯାଇଛି । ବାଂଲାଦେଶ ଦ୍ବାରା ରଖାଯାଇଥିବା ୩୩୫ ରନ୍ ବିଜୟ ଲକ୍ଷ୍ୟର ଜବାବରେ ଆଫଗାନିସ୍ତାନ ୪୪.୩ ଓଭରେ ମାତ୍ର ୨୪୫ ରନ କରି ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଇବ୍ରାହିମ ଜଦରାନ ୭୫ ରନ କରିଥିବା ବେଳେ ହସମତୁଲ୍ଲା ଶାହିଦି ୫୧ରନ ଓ ରହମତ ଶାହ ୩୩ ରନ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟ ବ୍ୟାଟରଙ୍କ ବିଫଳତା କାରଣରୁ ବାଂଲାଦେଶଠାରୁ ୮୯ ରନରେ ମ୍ୟାଚ୍ ହାରିଛି ଆଫଗାନିସ୍ତାନ ।
ଦଳର ଦୁଇ ଓପନର ମହମ୍ମଦ ନଇମ୍ ଓ ମେହଦି ହାସନ ମିରାଜ୍ ପ୍ରଥମ ୱିକେଟ ଯୋଡ଼ିରେ ୬୦ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ନଇମ୍ ୨୮ ରନ କରି ଆଉଟ ହେବା ପରେ ତୁରନ୍ତ ତୌହିଦ୍ ହ୍ରିଦୟ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ମିରାଜ ଓ ନଜମୁଲ ହୁସେନ ସାଣ୍ଟୋ ଲଢୁଆ ବ୍ୟାଟିଂ କରି ବିପକ୍ଷ ଦଳ ପାଇଁ ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ଉଭୟ ବ୍ୟାଟର ଶତକ ହାସଲ କରିଥିଲେ । ମିରାଜ ୧୧୨ ରନ କରି ରିଟାୟାର୍ଡ ହଟ୍ ହୋଇଥିବା ବେଳେ ସାଣ୍ଟୋ ରନ୍ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ଏହି ଦୁଇ ବ୍ୟାଟର ପାଭିଲିୟନ ଫେରିବା ପରେ ବ୍ୟାଟିଂ ପାଇଁ ଆସିଥିବା ମୁସ୍ତାଫିଜୁର ରହିମ ଓ ଶାକିବଲ ହାସନ ମଧ୍ୟ ଉପଯୋଗୀ ଇନିଂସ ଖେଳି ଦଳୀୟ ସ୍କୋରକୁ ୩୩୪ରେ ପହଞ୍ଚାଇଥିଲେ ।
ସେପଟେ ଆଫଗାନିସ୍ତାନ ପକ୍ଷରୁ ରାମାନୁଲ୍ଲା ଗୁରବାଜ ମାତ୍ର ୧ ରନ କରି ଦଳକୁ ନିରାଶ କରିଥିଲେ । ଇବ୍ରାହିମ ଜଦରାନ ୭୫ ରନ କରିଥିବା ବେଳେ ହସମତୁଲ୍ଲା ଶାହିଦି ୫୧ରନ ଓ ରହମତ ଶାହ ୩୩ ରନ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରସିଦ ଖାନ୍ ଙ୍କ ବ୍ୟତୀତ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଦଳ ୪୪.୩ ଓଭରେ ମାତ୍ର ୨୪୫ ରନ କରି ସମସ୍ତ ୱିକେଟ ହରାଇଥିଲା ।