ଓଡ଼ିଶା 365 (ବ୍ୟୁରୋ) : ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗୋଟିଏ, ଦ୍ବିତୀୟ ସପ୍ତାହରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨ରୁ ୧୨ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଉପକୂଳରୁ ଆଭ୍ୟନ୍ତରଣ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିଛି । ପ୍ରଥମେ ୪ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଦ୍ୱିତୀୟ ସପ୍ତାହ ଶେଷ ବେଳକୁ ଆଉ ଏକ ଲଘୁଚାପ ହେବ । ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ତେବେ ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ, କଟକ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ସହ ଭୀଷଣ ବଜ୍ରପାତ ହୋଇଛି । ୨୨ ସେଣ୍ଟିମିଟର ବର୍ଷାରେ ଭାସିଲା ଭୁବନେଶ୍ବର । ଖବର ଅନୁଯାୟୀ, ଶନିବାର ଦିନ ଟ୍ୱିନ୍ ସିଟିକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୩ ଘଣ୍ଟା ଯାଏଁ ଭୁବନେଶ୍ୱର ଓ କଟକର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ଛେଚିବ । ତେଣୁ ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଶୁକ୍ରବାର ସକାଳେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ଦୁଇ ଦିନ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ରହି ୪ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ଦୁଇଦିନ ଏହା ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳଠାରୁ ଦୂରରେ ରହିବ । ପରେ ଏହା ପୁଣି ଉତ୍ତର ଆଡ଼କୁ ଗତି କରିବ । ୭ରୁ ୯ ତାରିଖ ଯାଏ ଓଡ଼ିଶା ଉପକୂଳ ପାଖରେ ରହିବ । ୯ରେ ଏହା ସ୍ଥଳଭାଗ ଦେଇ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଇବ । ଏହା ପ୍ରଭାବରେ ୨ରୁ ୧୦ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ । ଉପକୂଳରେ ୨ ଓ ୩ ତାରିଖରେ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ହେବ । ୫ ଓ ୬ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ଘଡ଼ଘଡ଼ି ହେବାର ସମ୍ଭାବନା ଅଛି । ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ମୋଟ ୧୦୦ରୁ ୧୨୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଛତିଶଗଡ଼ରେ ମଧ୍ୟ ଭୀଷଣ ବର୍ଷା ସମ୍ଭାବନା ରହିଛି ।