ଓଡ଼ିଶା 365 (ବ୍ୟୁରୋ): ୬ ମାସରେ ୫ଟି ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ ପାଖାପାଖି ୫ ଶହ କୋଟି। ଜାନୁଆରୀରୁ-ଜୁନ ମାସ ମଧ୍ୟରେ ହେଲିକପ୍ଟର ବାବଦରେ ପାଖାପାଖି ୫ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସରକାରୀ ଅର୍ଥକୁ ହେଲିକପ୍ଟର ବୁଲାରେ ଖର୍ଚ୍ଚ କରି ଅନୈତିକ ଭାବେ ଖର୍ଚ୍ଚ କରାଯାଉଛି ବହୋଲି ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ମେ’ ୧୪ରେ ଫାଇଭ-ଟି ସଚିବ ଭୁବନେଶ୍ୱରରୁ ଅନୁଗୁଳ ଯାଇଛନ୍ତି । ସରକାରୀ ଗସ୍ତ ବୋଲି କୁହାଯାଇଛି, ସେଦିନ ସେଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା । ସେଠାରେ ବିଜେଡି ବିଧାୟକ ମୁକେଶ ପାଲଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଇଥିଲେ । କାହିଁକି ହେଲିକପ୍ଟର ବ୍ୟବହାର କରାଯାଇଥିଲା ବୋଲି ପ୍ରଶ୍ନ କରିଛି ବିଜେପି । ସେହିପରି ଜୁନ୍ ୨୮ରେ ଫାଇଭ-ଟି ସଚିବ ତାଳଚେର ଯାଇଥିଲେ । ସରକାରୀ କାର୍ଯ୍ୟକ୍ରମ ନଥିଲା, ସେଠାରେ ସ୍ଥାନୀୟ ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ବୋଲି ବିଜେପି ନେତା ଅନୀଲ ବିଶ୍ୱାଳ କହିଛନ୍ତି । ଏହାସହ କେତେକ ପ୍ରଶ୍ନ ଉଠାଇଛି ବିଜେପି । ବ୍ୟକ୍ତିଗତ କାମ ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି? ବୋଲି ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଛି ବିଜେପି।
ସେପଟେ ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଆଜି କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶ୍ରୀ ମିଶ୍ର କହିଛନ୍ତି, ଏଠି ଅଫିସର ରାଜ ଚାଲିଛି । ଲୋକଙ୍କ ଅଭିଯୋଗ ଶୁଣିଲେ ବି ମନ୍ତ୍ରୀ କିଛି କାର୍ଯ୍ୟ କରିପାରିବେ ନାହିଁ । କାରଣ ଅଫିସର ମନ୍ତ୍ରୀଙ୍କ କଥା ଶୁଣିବେ ନାହିଁ । 5ଟି ସଚିବ ଗଲେ ତାଙ୍କ ସବୁ କଥା ସମସ୍ତେ ଶୁଣୁଛନ୍ତି । ତେଣୁ ମନ୍ତ୍ରୀଙ୍କ କଥା ପଚାରେ କିଏ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଶ୍ରୀ ମିଶ୍ର ବିଜେଡି ମନ୍ତ୍ରୀଙ୍କୁ କଡା ସମାଲୋଚନା କରି କହିଛନ୍ତି, ଯେଉଁଠି ମନ୍ତ୍ରୀ ବିଧାୟକ ସଚିବଙ୍କ ତମ୍ବୁ ଟାଣିବେ,ଚେୟାର ବୋହିବେ, ପିଅନ ଭଳି କାମ କରିବେ ଏବଂ ଚାକରର ଚାକର ହେବେ ସେଠି ତାଙ୍କ କଥା କିଏ ଶୁଣିବ ବୋଲି କହିଛନ୍ତି ନରସିଂହ। ତେବେ ବିରୋଧୀଙ୍କ ଏପରି ଅଭିଯୋଗକୁ ଦୃଢୃଭାବେ ଖଣ୍ଡନ କରିଛି ବିଜେଡି । ସରକାର ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ଶୁଣୁଛନ୍ତି ବୋଲି କହିଛି ବିଜେଡି । ବିଜେଡି ଆହୁରି ବି କହିଛି ଆମେ ଅଞ୍ଚଳରେ ବୁଲୁଛୁ । ଲୋକଙ୍କ କଥା ବୁଝୁଛୁ । ୫ ଟି ସଚିବ ବୁଲି ଗ୍ରୀଭାନ୍ସ କରି ପାରିବେ । ଆଇନରେ ଏଥି ପାଇଁ ବ୍ୟବସ୍ଥା ଅଛି ବୋଲି କହିଛି ବିଜେଡି ।