ଓଡ଼ିଶା 365 (ବ୍ୟୁରୋ): ନୟାଗଡ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ବିଶେଷ ଭାବେ ଏହି ବାଇଗଣ କଣ୍ଟିଲୋର ମହାନଦୀ ଅବବାହିକାରେ ଚାଷ କରାଯାଇଥାଏ । ଏହି ବାଇଗଣକୁ ଜିଆଇ ଟ୍ୟାଗ ଦେବାକୁ ରାଜ୍ୟ ପ୍ରଶାସନ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲା । କଣ୍ଟିଲୋ ନିକଟସ୍ଥ ବାଣପୁର ଗ୍ରାମର ନୀଳମାଧବ କୃଷି ସଙ୍ଗଠନ କଣ୍ଟେଇ ମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ୭୩୯ ନଂ ଦରଖାସ୍ତରେ ଜିଆଇ ଟ୍ୟାଗ ପାଇଁ ଦାବି ରଖିଥିଲା । ଏଥିନିମନ୍ତେ ଓୟୁଏଟି ବିଭିନ୍ନ ସମୟରେ ପୁରସ୍କୃତ କରିବା ସହ ଜିଆଇ ଟ୍ୟାଗ୍ ମାନ୍ୟତା ନିମନ୍ତେ ସହଯୋଗ କରିଆସିଥିଲା । କଣ୍ଟେଇମୁଣ୍ଡି ବାଇଗଣକୁ ବିଭାଗ ୩୧ ର ମାନ୍ୟତା ମିଳିଛି ।
ନୟାଗଡ଼ ଜିଲ୍ଲାରେ ସ୍ୱତନ୍ତ୍ରତା ଲାଭ କରିଥିବା ଏହି କଣ୍ଟେଇମୁଣ୍ଡି ବାଇଗଣ ସବୁଜ କରଣର । ଏହାର ଗଛପତ୍ର ଓ ଫଳରେ ସବୁଆଡେ କଣ୍ଟା ଲାଗି ରହିଥାଏ । ଅନ୍ୟ ବାଇଗଣ ଅପେକ୍ଷା ଏହାର ସ୍ୱତନ୍ତ୍ରତା ରହିଛି। ପ୍ରତ୍ୟେକ ବାଇଗଣ ଓଜନ ୨୫ ରୁ ୫୦ ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣ ଗଛ ଲଗେଇବାର ୩୦ ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ । ଏହାର ସ୍ୱାଦ ମଧ୍ୟ ସ୍ୱତନ୍ତ୍ର ରହିଛି । ବାଇଗଣର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ରହିଛି । କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।