ଓଡ଼ିଶା 365 (ବ୍ୟୁରୋ): ଲୋକପ୍ରିୟ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟାକୁ ନେଇ ବଡ଼ ବୟାନ ଦେଇଛନ୍ତି କୋର୍ଟ। ପ୍ରତ୍ୟୁଷାଙ୍କ ମୃତ୍ୟୁ ମାମଲାରେ ଜଡିତ ଥିବା ବୟଫ୍ରେଣ୍ଡ ରାହୁଲ ସିଂହଙ୍କ ଏକ ଆବେଦନକୁ ଖାରଜ୍ କରି ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ପାଇଁ ସେ ଦାୟୀ ବୋଲି ଦର୍ଶାଇଛନ୍ତି କୋର୍ଟ । କୋର୍ଟ କହିଛନ୍ତି ଯେ, ରାହୁଲ ହିଁ ପ୍ରତ୍ୟୁଷାଙ୍କ ଜୀବନକୁ ନର୍କ କରି ଦେଇଥିଲେ। ଯେଉଁଥିପାଇଁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିଲେ ।
ସୂଚନା ଅନୁଯାୟୀ, ଟିଭିର ଲୋକପ୍ରିୟ ଶୋ ‘ବାଲିକା ବଧୂ’ ରେ ଅଭିନୟ କରୁଥିଲେ ପ୍ରତ୍ୟୁଷା । ସେ ଅପ୍ରେଲ ୧, ୨୦୧୬ରେ ନିଜ ଫ୍ଲାଟରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମା ପୋଲିସରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅଙ୍କୁ କେହି ମାରିଦେଇଛି । ଅଭିନେତ୍ରୀଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ଅଭିନେତା ତଥା ଇଭେଣ୍ଟ ଆୟୋଜକ ରାହୁଲଙ୍କୁ ପୁଲିସ ଗିରଫ କରିଥିଲା। ରାହୁଲ କିଛିଦିନ ଜେଲରେ ରହିବା ପରେ ପରବର୍ତ୍ତୀ ସମୟରେ ଜାମିନରେ ଆସିଥିଲେ । ହେଲେ ନ୍ୟାୟ ପାଇପାରିନଥିଲେ ପ୍ରତ୍ୟୁଷା । ଯେଉଁଥିପାଇଁ ପୁଣିଥରେ ମୁମ୍ୱାଇ କୋର୍ଟରେ ଏହି ମାମଲା ଉପରେ ଶୁଣାଣି ହୋଇଛି । ଅଦାଲତ କହିଛନ୍ତି ଯେ, ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ପାଇଁ ରାହୁଲ ଦାୟୀ । କାରଣ ରାହୁଲ ପ୍ରତ୍ୟୁଷାଙ୍କୁ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ୟ୍ୟାତନା ସହ ଶୋଷଣ କରିଥିଲେ। ତାଙ୍କ ଜୀବନକୁ ନର୍କ କରି ଦେଇଥିଲେ। ଏପରି ନିର୍ୟାତନା ଦେଇଥିଲେ ଯେ, ଯାହା ଫଳରେ ପ୍ରତ୍ୟୁଷା ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଯାଇଥିଲେ ।