ଓଡ଼ିଶା 365 (ବ୍ୟୁରୋ) : ଗାଧୁଆ ଘରେ ଦୀର୍ଘ ୫ ଦିନ ଧରି ଫସିରହିଲା ୧୦ ବର୍ଷର ଝିଅ । ବିଦ୍ୟୁତ ଶୁଳ୍କ ନେବାକୁ ଆସିଥିବା ଅଧିକାରୀଙ୍କ ଯୋଗୁଁ ବଞ୍ଚିଗଲା ଛୁଆର ଜୀବନ । ଅଭିଯୁକ୍ତ ଦମ୍ପତି ଏହି ଝିଅଟିକୁ ଘର କାମ ପାଇଁ ଆଣିଥିବା ବେଳେ ଏଭଳି ଅବସ୍ଥାରେ ବନ୍ଦୀ କରି କୌଣସି କାମକୁ ଯାଇଥିବା ଜଣାପଡ଼ିଛି । ପୋଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ନାଗପୁରଠାରେ । ମିଳିଥିବା ସୂଚନା ଅନୁସାରେ ନାବାଳିକାକୁ ପୋଲିସ ଉଦ୍ଧାର କରିବା ସମୟରେ ତା ଶରୀରର ଏକାଧିକ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲେ ।
ନାଗପୁର ପୋଲିସ ଡିସିପି ବିଜୟକାନ୍ତ ସାଗରଙ୍କ କହିବା ଅନୁସାରେ ଅଭିଯୁକ୍ତ ଦମ୍ପତି ନାବାଳିକାକୁ ଘରେ ତାଲା ପକାଇ କୌଣସି ଏକ କାମରେ ଚାଲିଯାଇଥିଲେ । ଅର୍ଥବ ନଗରୀ ବେସା ପିପଲା ରୋଡ ନିକଟରେ ଥିବା ଦମ୍ପତିଙ୍କ ଘରେ କାମ କରୁଥିବା ଏହି ଝିଅଟି ଦୀର୍ଘ ୫ ଦିନ ଫସି ରହିଥିଲା । ଅଭିଯୁକ୍ତ ଦମ୍ପତି ନାବାଳିକାକୁ ଗାଧୁଆ ଘରେ ତାଲା ପକାଇବା ସହ ଖାଦ୍ୟ ଆକାରରେ ପାଉଁରୁଟି ଦେଇ ଯାଇଥିଲେ । ବହୁ ଦିନ ଧରି ବିଦ୍ୟୁତ ଶୁଳ୍କ ପୈଠ କରାଯାଉନଥିବାରୁ ଏହି ସମୟରେ ଘରେ ପହଞ୍ଚିଥିଲେ ବିଦ୍ୟୁତ ବିଭାଗର କିଛି କର୍ମଚାରୀ । ସେମାନେ ଫ୍ଲାଟରେ ବିଦ୍ୟୁତ ସଂଯୋଗୀକରଣ ବନ୍ଦ କରିବା ଲାଗି ଆସିଥିଲେ । ଏହି ସମୟରେ ଗାଧୁଆ ଘର ଝରକା ଫାଙ୍ଖରେ ଝିଅଟିଏ ଚାହିଁବା ଦେଖିଥିଲେ । ହେଲେ ଏପଟେ ଘରେ ତାଲା ପଡ଼ିଥିଲା । ଏହାପରେ ବିଦ୍ୟୁତ ବିଭାଗର କର୍ମଚାରୀ ପଡ଼ୋଶୀଙ୍କୁ ଏନେଇ ପଚାରିଥିଲେ ।
ଘର ତାଲା ଭାଙ୍ଗି ଝିଅଟିକୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା ।ଅଭିଯୁକ୍ତ ଦମ୍ପତିଙ୍କ ନାମ ତାହା ଅର୍ମାନ ଅସ୍ତିଆକ ଖାନ ଓ ପତ୍ନୀ ହିନା ବୋଲି ଜଣାପଡ଼ିଛି । ଏହି ଘଟଣାରେ ଅଭିଯୁକ୍ତର ଅର୍ମାନର ଭାଇ ଅଜହର ସମ୍ପୃକ୍ତି ରହିଛି । ତେବେ ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ମଧ୍ୟରୁ ସ୍ବାମୀ ଅର୍ମାନକୁ ଗରିଫ କରିଥିବା ବେଳେ ହିନା ଓ ଅଜହର ଫେରାର ଅଛନ୍ତି ।