ଓଡ଼ିଶା 365 (ବ୍ୟୁରୋ) : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବହୁ ପ୍ରତୀକ୍ଷିତ ସୌର ମିସନ ଆଦିତ୍ୟ-ଏଲ୍ ୧ ସଫଳତାର ସହ ଲଞ୍ଚ ହୋଇଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆଦିତ୍ୟ-ଏଲ୍ ୧କୁ ମହାକାଶକୁ ଲଞ୍ଚ କରାଯାଇଛି । ସୂର୍ଯ୍ୟ ସଂପର୍କରେ ଗବେଷଣା କରିବାରେ ‘ଆଦିତ୍ୟ-ଏଲ୍୧’ ଇସ୍ରୋର ପ୍ରଥମ ମିସନ । ୧୨୭ ଦିନ ପରେ ମହାକାଶର ଏଲ୍-୧ ବା ଲାଗ୍ରାଞ୍ଜ ପଏଣ୍ଟ୍-୧ରେ ପହଞ୍ଚିବ ଆଦିତ୍ୟ-ଏଲ୍ ୧। ସେଠାରେ ଅବସ୍ଥାପିତ ହୋଇ ଏହା ପୃଥିବୀକୁ ସୂର୍ଯ୍ୟ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ ଜାରି ରଖିବ। ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଦୂରତା ପ୍ରାୟ ୧୫ କୋଟି କିଲୋମିଟର।