ଓଡ଼ିଶା 365 (ବ୍ୟୁରୋ) : ରାଜସ୍ଥାନରେ ଲଜ୍ଜା । ମଣିଷ ଭୁଲିଗଲା ମାନସିକତା ନିଜ ଅଂହଙ୍କାରକୁ ବଜାୟ ରଖିବା ପାଇଁ କ’ଣ ଭୁଲ୍ କ’ଣ ଠିକ୍ ତାର ହିତାହିତ ଜ୍ଞାନ ଭୁଲିଗଲାଣି ଏଇ ସଭ୍ୟସମାଜ । ଏଠି ଅମାନୁଷିକ, ନିଷ୍ଠୁର, ବର୍ବରତା ବସୁ ସୀମା ଡେଇଁ ଥିବା ମଣିଷ ରୂପୀ ରାକ୍ଷାସ ଆଉ କେହିଁ ନୁହେଁ, ସ୍ବାମୀ ନିଜେ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଏଭଳି ପୁନରାବୃତ୍ତି ସାମ୍ନାକୁ ଆସିଛି । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ସୂଚନା ମିଳିଛି, ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବିବାଦକୁ କେନ୍ଦ୍ରକରି ମହିଳାଙ୍କ ସହ ଏଭଳି ପାଶବିକ ଆଚରଣ କରାଯାଇଛି ।
ସ୍ବାମୀ ଓ ଶାଶୁଘର ଲୋକେ ମିଶି ପୀଡିତାଙ୍କୁ ସର୍ବସାଧାରଣରେ ମାଡ ମାରିବା ସହ ନିବସ୍ତ୍ର କରି ବୁଲାଇଛନ୍ତି । ଏହି ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ୍ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାଟି ଗତ ସୋମବାର ଦିନ ପ୍ରତାପଗଡ ଜିଲ୍ଲା ଧରିୟାବାଦ ଥାନା ଅନ୍ତର୍ଗତ ପହାଡା ଅଞ୍ଚଳରେ ଘଟିଛି । ଉଭୟ ପୀଡିତା ଓ ଅଭିଯୁକ୍ତ ଆଦିବାସୀ ସମାଜର ଅଟନ୍ତି । ସୂଚନା ଅନୁଯାୟୀ, ଗତବର୍ଷ ମହିଳାଙ୍କର ବିବାହ ହୋଇଥିଲା । କୌଣସି କଥାକୁ ନେଇ ତାଙ୍କର ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ କେନ୍ଦ୍ରକରି ସୋମବାର ଦିନ ସ୍ବାମୀଙ୍କ ସହ ଶାଶୁଘର ଲୋକେ ମହିଳାଙ୍କୁ ଖୁବ୍ ମାଡ ମାରିଥିଲେ ଏବଂ ନିବସ୍ତ୍ର କରି ବୁଲାଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଏ ସମ୍ପର୍କରେ ଜଣାପଡିଥିଲା ।
ଘଟଣାରେ ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି ।ସୂଚନା ପାଇବା ମାତ୍ରେ ପ୍ରତାପଗଡ ଏସପି, ଡେପୁଟି ଏସପି ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏସପି ଅମିତ କୁମାର କହିଛନ୍ତି ଯେ, ମାମଲାରେ ଏଫଆଇଆର ରୁଜୁ ହୋଇଛି । ଏହି ପାଶବିକ କାଣ୍ଡରେ ସମ୍ପୃକ୍ତ ସମସ୍ତ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ପୋଲିସ ଖୋଜାଖୋଜି ଚଳାଇଛି ।