ଓଡ଼ିଶା 365 (ବ୍ୟୁରୋ) : ଆଜି ହେଉଛି ବିଶ୍ୱ ନଡ଼ିଆ ଦିବସ । ନଡ଼ିଆକୁ ସାଧାରଣରେ ଆମେ ଓଡ଼ିଶାବାସୀ ଏହାକୁ ଶ୍ରୀଫଳ ମଧ୍ୟ କହିଥାଉ । ଏହି ଫଳରେ ଅନେକ ଔଷଧୀୟ ଗୁଣ ରହିଛି ଖାଲି ସେତିକି ନୁହେଁ ବଂର ଏହି ଫଳକୁ ମନ୍ଦିରରେ ପୂଜା ମଧ୍ୟ କରାଯାଇଥାଏ । ତେବେ ନଡ଼ିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ହେଉଛି ଭାରତର ଷଷ୍ଠତମ ରାଜ୍ୟ। ଦେଶର ମୋଟ ଉତ୍ପାଦନରେ ରାଜ୍ୟର ୨.୦୦ ପ୍ରତିଶତ ଭାଗିଦାରୀ ରହିଛି। ଓଡ଼ିଶାର ସମୁଦ୍ରକୂଳିଆ ଜିଲ୍ଲା; ଜଗସିଂହପୁର, କେନ୍ଦ୍ରାପଡ଼ା, ଗଂଜାମ, ପୁରୀ ଆଦି ସହ ବାଲେଶ୍ବରରେ ଅଧିକ ନଡ଼ିଆ ଉତ୍ପାଦନ କରାଯାଏ । ତେବେ ସାରା ରାଜ୍ୟ ପାଇଁ ଆବଶ୍ୟକ ନଡ଼ିଆ ଚାରା ପ୍ରସ୍ତୁତ କରିବା ଏବଂ ନଡ଼ିଆ ଉତ୍ପାଦନ ବଢ଼ାଇବା ପାଇଁ ୨୦୧୬-୧୭ ମସିହାରେ ବାଲେଶ୍ବର ଉଦ୍ୟାନ ବିଭାଗ ପକ୍ଷରୁ ୬୩.୫୭ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲେ । ଲକ୍ଷ୍ୟ ଥିଲା ୨ ଲକ୍ଷ ନଡ଼ିଆ ଚାରା ପ୍ରସ୍ତୁତ କରି ସାରା ରାଜ୍ୟକୁ ଯୋଗାଇବା। ତେଣୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଜଳେଶ୍ବରପୁରଠାରେ ମେଗା ନଡ଼ିଆ ନର୍ସରିର ପରିକଳ୍ପନା କରାଗଲା।
ସରକାରୀ ଟଙ୍କାରେ ନଡ଼ିଆ ଚାରା ପ୍ରସ୍ତୁତ ପାଇଁ କ୍ଷେତ୍ର ତିଆରି କରିବା ସହ କମ୍ପାଉଣ୍ଡ ୱାଲ୍, ଗୋଦାମ ଘର, ପଲି ହାଉସ୍, ସିସି ରୋଡ୍ ଆଦି ନିର୍ମାଣ ସହ ନଳକୂଅ ଖନନ ହେବାର ଥିଲା। ହେଲେ ରାଜନୈତିକ ଛକାପଞ୍ଝା ଭିତରେ ଯୋଜନା ଫେଲ୍ ମାରିଛି। ଭିତ୍ତିଭୂମିର ଅଭାବ ଯୋଗୁଁ ଉଦ୍ୟାନ ବିଭାଗ ମଧ୍ୟ ଚାରା ପ୍ରସ୍ତୁତ କରି ନପାରି ହାତ ବାନ୍ଧି ବସିଛି। ଏଠି ସରକାରଙ୍କ ପାଇଁ ସରକାରୀ ଯୋଜନା ଫଳପ୍ରଦ ହୋଇ ନପାରିବା ଭଳି ସଂଗିନ ଅଭିଯୋଗ ହେଉଛି।
ସୂଚନା ଅନୁସାରେ ଜଳେଶ୍ବରପୁରରେ ଉଦ୍ୟାନ ବିଭାଗର ୮ ଏକର ୩୫ ଡେସିମିଲ ଜମି ଥିଲା। ଯେଉଁଥିପାଇଁ ସେଠାରେ ମେଗା ନଡ଼ିଆ ନର୍ସରୀ କରିବାକୁ ବାଲେଶ୍ବର ଉଦ୍ୟାନ ବିଭାଗ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । ତେବେ ଉକ୍ତ ସରକାରୀ ଜାଗା କ୍ରମଶଃ ଅନ୍ୟ ସରକାରୀ କାମରେ ଲାଗିଲା । ୩ ଏକର ୧୦ ଡେସିମିଲ୍ ଜାଗା ଗ୍ରାମ୍ୟ ନ୍ୟାୟାଳୟ ପାଇଁ ଦେଇଦିଆଗଲା। ସେହିପରି ଜଳେଶ୍ବରପୁର ପଞ୍ଚାୟତ ଘର ନିର୍ମାଣ ପାଇଁ ୧୬ ଡେସିମିଲ୍ ଜାଗା ପଟ୍ଟା କରାଯାଇଛି। ହେଲେ ପ୍ରକୃତପକ୍ଷେ ପ୍ରାୟ ୧ ଏକର ଜାଗା ପଞ୍ଚାୟତ ପରିସରଭୁକ୍ତ ରହିଛି । ପଟ୍ଟା ଅନୁସାରେ ଜାଗା ଯିବା ପରେ ଉଦ୍ୟାନ ବିଭାଗ ପାଖରେ ୩ ଏକର ୨୭ ଡେସିମିଲ୍ ଜାଗା ରହିବା କଥା। କିନ୍ତୁ ଅଛି ମାତ୍ର ଦେଢ଼ ଏକର ଜାଗା ।