ଓଡ଼ିଶା 365 (ବ୍ୟୁରୋ) : କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶୁକ୍ରବାର ସକାଳେ କେନ୍ଦ୍ରମନ୍ତ୍ରୀଙ୍କ ଲକ୍ଷ୍ନୌ ଠାକୁରଗଞ୍ଜ ସ୍ଥିତ ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ ୨୮ ବର୍ଷୀୟ ବିନୟ ଶ୍ରୀବାସ୍ତବ । ସେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସାଙ୍ଗ ବୋଲି ପୋଲିସ କହିଛି । ତେବେ ମନ୍ତ୍ରୀଙ୍କ ପୁଅର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟିବା ଯୋଗୁଁ ହିଁ ବିନୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ଏବେ ଚାରିଆଡେ ହଇଚର ସୃଷ୍ଟି କରିଛି ।
ଠାକୁରଗଞ୍ଜ ଥାନା ଅନ୍ତର୍ଗତ ବେଗରିୟା ଗାଁରେ ଥିବା କେନ୍ଦ୍ରମନ୍ତ୍ରୀ କିଶୋରଙ୍କ ଘରେ ଘଟଣା ଘଟିଛି । ଆଜି ସକାଳେ କେନ୍ଦ୍ରମନ୍ତ୍ରୀଙ୍କ କୌଶଲ କିଶୋରଙ୍କ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୁଣ୍ଡରେ ଗୁଳି ବାଜିବା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ପୋଲିସ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନାଁରେ ଥିବା ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଜବତ କରିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି । ପୋଲିସ ଓ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପ୍ରମାଣ ସଂଗ୍ରହ କରୁଛି ।
ଆଜି ସକାଳ ୪ଟା ବେଳେ ଗୁଳିମାଡରେ ବିନୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଡିସିପି ରାହୁଲ ରାଜ କହିଛନ୍ତି, ବିନୟ ଶ୍ରୀବାସ୍ତବଙ୍କ ମୃତ୍ୟୁ ଗୁଳି ବାଜିବା ଯୋଗୁଁ ହୋଇଛି । ତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ରାତିରେ କେନ୍ଦ୍ରମନ୍ତ୍ରୀଙ୍କ ଘରକୁ କିଛି ଲୋକ ଆସିଥିଲେ । ସମସ୍ତେ ଖାଇବା ପିଇବା କରିବା ପରେ ଗୁଳିକାଣ୍ଡ ଘଟିଥିଲା । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ମିଳିଛି । ଏହା ବିକାଶ କିଶୋରଙ୍କର ହୋଇଥିବା କୁହାଯାଉଛି । ଏନେଇ ପୋଲିସ ତଦନ୍ତ ଜାରିରଖିଛି ।