ଓଡ଼ିଶା 365 (ବ୍ୟୁରୋ) : ଚୀନ ସରକାର ଜାରି କରିଥିବା ମ୍ୟାପକୁ ନେଇ ଚିନ୍ତା । ସ୍ପାର୍ଟଲି ଓ ପାରାସେଲ ଦ୍ୱୀପପୁଞ୍ଜ ଚୀନ ମାନଚିତ୍ରରେ ସ୍ଥାନ ପାଇଥିବାରୁ ଉଦବେଗ ପ୍ରକାଶ କରିଛି ଭିଏତନାମ । ଏହି ଦ୍ୱୀପପୁଞ୍ଜ ଭିଏତନାମର ଅନ୍ତର୍ଗତ ହୋଇଥିଲେ ବି ଏହା ଉପରେ ଚୀନର ଅଧିକାରକୁ ବରଦାସ୍ତ କରିନାହିଁ ଭିଏତନାମ । ଦକ୍ଷିଣ ଚୀନ ସାଗରର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରୁଥିବାବେଳେ ୧୯୪୭ରେ ଜାରି ଏକ ମ୍ୟାପକୁ ଆଧାର କରି ଏବେ ନିଜର ସୀମା ସମ୍ପ୍ରସାରିତ କରିବା ପରିଲକ୍ଷିତ ହେଉଛି । ଭିଏତନାମ, ଫିଲିପାଇନସ, ବ୍ରୁନେଇ, ମାଲେସିଆ ଓ ତାଇଓ୍ୱାନ ର ଅନେକ ଅଞ୍ଚଳକୁ ବର୍ତ୍ତମାନ ଚୀନ ଦାବି କରୁଥିବାରୁ ଏହି ଦେଶ ସମୂହରେ ଉଦବେଗ ପ୍ରକାଶ ପାଇଛି ।
ନିଜର ଜଳଭାଗ ଉପରେ ଅନ୍ୟ ଦେଶର ଏହା ଏକ ହସ୍ତକ୍ଷେପ ବୋଲି ଭିଏତନାମ କହିଛି । ଭିଏତନାମ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଫାମ ଥୁ ହାଙ୍ଗ କହିଛନ୍ତି- ଦକ୍ଷିଣ ଚୀନ ସାଗର ଉପରେ ଚୀନର ଅଧିକାରକୁ ତାଙ୍କ ଦେଶ ବିରୋଧ କରୁଛି । ପୂର୍ବରୁ ଚୀନର ନୂଆ ମ୍ୟାପରେ ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳ ସ୍ଥାନ ପାଇଥିବାରୁ ଭାରତ ବି ବିରୋଧ କରିଥିଲା । ସେହିପରି ଦକ୍ଷିଣ ଚୀନ ସାଗର ଉପରେ ଚୀନର ଅଧିକାରକୁ ନେଇ ବିରୋଧାଭାସ ବ୍ୟକ୍ତ କରିଛି ଫିଲିପାଇନସ୍ । ତେଣେ ମାଲେସିଆ ଓ ତାଇଓ୍ୱାନ ବି ଚୀନର ନୂଆ ମ୍ୟାପକୁ ବିରୋଧ କରିଛନ୍ତି ।