ଓଡ଼ିଶା 365 (ବ୍ୟୁରୋ) : ଜିଲ୍ଲାର ମାତିଛନ୍ତି ଠକ ବ୍ୟବସାୟୀ । ଗ୍ରାହକଙ୍କୁ ଅସଲି ବ୍ରାଣ୍ଡ ନାମରେ ନକଲି ଡ୍ରେସ ବିକ୍ରି କରି ଲୁଟୁଛନ୍ତି ବ୍ୟବସାୟୀ । ଏବେ ଗୋଟିଏ ପରେ ଗୋଟିଏ ଠକ ବ୍ୟବସାୟୀଙ୍କ ଦୋକାନରେ ଚଢାଉ କରି ନକଲି ଡ୍ରେସ ଜବତ କରି ବ୍ୟବସାୟୀଙ୍କୁ ଗିରଫ କରୁଛି ପୋଲିସ । ଗୁରୁବାର ବଲାଙ୍ଗୀର ଭାଲେର ଛକରେ ଖଲିଆ ପାଲି ଠାରେ ଥିବା ଏକ କପଡ଼ା ଗୋଦାମରେ ଚଢାଉ କରି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାର୍ଟ ଓ କପଡ଼ା ଜବତ କରିଛି ପୋଲିସ । ଏହି ଗୋଦାମରେ ଶସ୍ତା କପଡ଼ା ଉପରେ ଅସଲି ନାମୀ ଦାମୀ ବ୍ରାଣ୍ଡର ଷ୍ଟିକର ଓ ଲୋଗୋ ଲଗାଇ ଗ୍ରାହକଙ୍କୁ ବିକ୍ରି କରାଯାଉଥିଲା । ଆଗକୁ ପାର୍ବଣ ଋତୁ ଥିବାରୁ ବ୍ୟବସାୟୀ ମାନେ ଅଧିକ ଟଙ୍କା ପାଇବା ଆଶାରେ ଗ୍ରାହକଙ୍କୁ ଏପରି ଢଙ୍ଗରେ ଠିକିବା ପାଇଁ ଯୋଜନା କରିଥିବା ପୋଲିସ କହିଛି । ଏହି ଠକ ବ୍ୟବସାୟୀ ମାନେ ଜିଏସଟି ଫାଙ୍କୁ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି ।
ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି ଯେ, ଅସଲି ବ୍ରାଣ୍ଡ ଲଗାଇ ନକଲି କପଡା ବ୍ୟବସାୟୀ କରାଯାଉଥିବା ନେଇ ମୁମ୍ବାଇର ଲେବିଶ ନେଟ୍ରିକା କନ୍ସଲଟିଂ ପ୍ରାଇଭେଟ୍ କମ୍ପାନୀ ପକ୍ଷରୁ ଦୀପକ କୁମାର ଗୁପ୍ତା ଟାଉନ୍ ଥାନାରେ ଏହାର ଅଭିଯୋଗ କରିଥିଲେ । ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ବଲାଙ୍ଗୀରର ଏକ ବଡ଼ କପଡ଼ା ଦୋକାନ ଉପରେ ଚଢାଉ କରାଯାଇଥିଲା । ପ୍ରଥମେ ନ୍ୟୁ ଲଖାନୀ ଗାର୍ମେଣ୍ଟରେ ପୋଲିସ ଚଢାଉ କରି ୪୩ ଲକ୍ଷ ଟଙ୍କାର ନକଲି କପଡ଼ା ଜବତ କରିଥିଲା । ଯେଉଁଥିରେ ସାର୍ଟ, ଜିନ୍ସ ପ୍ୟାଣ୍ଟ୍ ଓ ଟ୍ରାକ ପ୍ୟାଣ୍ଟ୍ ଥିଲା। ଏହି ଘଟଣାରେ ତଦନ୍ତ ଜାରି ରଖି ଗୁରୁବାର ବଲାଙ୍ଗୀର ଭାଲେର ଛକରେ ଖଲିଆ ପାଲି ଠାରେ ଥିବା କପଡ଼ା ଗୋଦାମରେ ଚଢାଉ ହୋଇଥିଲା । ସେଠାରେ ଶସ୍ତା କପଡ଼ା ଉପରେ ଅସଲି ନାମୀ ଦାମୀ ବ୍ରାଣ୍ଡର ଷ୍ଟିକର ଓ ଲୋଗୋ ଲଗାଇ ବିକ୍ରୟ କରାଯାଉଥିଲା । ଏଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାର୍ଟ ଓ କପଡ଼ା ଜବତ ହୋଇଛି ।
ଏସଡିପିଓ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବ୍ୟବସାୟୀ ମାନେ ବ୍ୟାପକ ମାତ୍ରାରେ ଜିଏସଟି ଠକେଇ କରିଥିବା ଜଣାପଡିଛି । ଜିଏସଟି ବିଭାଗକୁ ଏହାର ତଦନ୍ତ ପାଇଁ କୁହାଯାଇଛି । ଛକ ବ୍ୟବସାୟୀଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ କରାଯାଇଛି । ଆଗକୁ ଗୋଦାମଟି ବୈଧ ନା ଅବୈଧ ଭାବେ ନିର୍ମାଣ କରାଯାଇଛି ତାର ମଧ୍ୟ ଯାଞ୍ଚ କରାଯିବ । ଅବୈଧ ଥିଲେ ବୁଲଡୋଜ ସାହାଯ୍ୟରେ ଗୋଦାମକୁ ଭଙ୍ଗାଯିବ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜେଶ ଲଖାନିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଗକୁ ମଧ୍ୟ ଏହି ଘଟଣାରେ ତଦନ୍ତ ଜାରି ରହିବ ଓ କୌଣସି ଅସାଧୁ ବ୍ୟବସାୟୀ ଏଥିରେ ବର୍ତ୍ତିବେ ନାହିଁ ବୋଲି କହିଛନ୍ତି ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ।