ଓଡ଼ିଶା 365 (ବ୍ୟୁରୋ): ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ। କଟକ ଜିଲ୍ଲା ବାଙ୍କୀରେ ଏହି ଅବସରପ୍ରାପ୍ତ ସେନା କର୍ମଚାରୀ ଜଣକ ହାତରେ ଖଣ୍ଡା, ହାତୁଡି ଧରି ରାସ୍ତାରେ ବୁଲି ବୁଲି ଲୋକଙ୍କୁ ଭୟଭୀତ କରିଥିବା ଦେଖିବାକୁ ମିଳିଛି । ତାଙ୍କ ନାଁ ସରୋଜ ଦାସ ଓ ଘର ହରିରାଜପୁର ଗାଁରେ ବୋଲି ଜଣାପଡିଛି । ଆଜି ସକାଳ ପ୍ରାୟ ସାଢେ ୧୦ଟାରେ ଜଣେ ଯୁବକ ଡାହାଣ ହାତରେ ଏକ ଖଣ୍ଡା ଓ ବାମ ହାତରେ ଗୋଟିଏ ମାର୍ତୁଲ ଧରି ସାରା ବାଙ୍କୀ ବଜାରରେ ଆତଙ୍କ ଖେଳାଇଥିଲେ । କଲେଜ ନିକଟରେ ଥିବା ବ୍ୟାଙ୍କ ଏଟିଏମ ମଧ୍ୟ ଭଙ୍ଗାରୁଜା କରିଥିଲେ । ଏହି ଖବର ପାଇବା ପରେ ବାଙ୍କୀ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ସେହି ସ୍ଥାନକୁ ଯାଇଥିବା ବେଳେ ତାଙ୍କୁ ପାଇନଥିଲେ । ପରେ ଉକ୍ତ ଯୁବକ ପୁନଶ୍ଚ କଚେରୀ ପଡିଆ ଠାରେ ଏପରି ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିବା ସହିତ ଗାଳିଗୁଲଜ କରୁଥିବା ବେଳେ ପୋଲିସ ସେଠାରେ ପହଞ୍ଚିଥିଲା । ତେବେ ଯୁବକ ଜଣକ ପୋଲିସକୁ ଦେଖିବା କ୍ଷଣି ଆହୁରି ଉତ୍ତେଜିତ ହୋଇପଡିଥିଲା । ହାତରେ ଧରିଥିବା ଏକ ଖଣ୍ଡାରେ ଜଣେ ପୋଲିସକୁ ହାଣିବାକୁ ଗୋଡାଇଥିଲା । ସୌଭାଗ୍ୟ ବସତଃ ପୋଲିସ ଜଣଙ୍କ ତାଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିଲେ । ପ୍ରାୟ ଦେଢ ଘଣ୍ଟା ଧରି କଚେରୀ ପଡିଆରେ ଏହି ହାଇଡ୍ରାମା ଚାଲିଥିଲା ।
ତେବେ ସ୍ଥାନୀୟ ଲୋକେ କହିବା ମୁକାବକ ସରୋଜ ଏକ ଗାଡି କିଣିଥିବା ବେଳେ ଗାଡି ବିକ୍ରେତା ତାଙ୍କୁ ଗାଡିର କୌଣସି କାଗଜପତ୍ର ଆଜି ପର୍ଯ୍ୟନ୍ତ ଦେଉନଥିବାରୁ ସେ ବାରମ୍ବାର ପୋଲିସକୁ ଜଣାଇଥିଲେ । ମାତ୍ର ପୋଲିସ କୌଣସି ସମାଧାନ କରୁନଥିବାରୁ ସେ ବାଧ୍ୟ ହୋଇ ଏପରି କରୁଥିବା ଜଣାପଡ଼ିଛି ।