ଓଡ଼ିଶା 365 (ବ୍ୟୁରୋ): ଚଳିତ ବର୍ଷ ଦଶହରାରେ ଇତିହାସ ରଚିବ ଓଲିଉଡ । ପ୍ରଥମଥର ପାଇଁ ଓଲିଉଡରେ ଦେଖିବାକୁ ମିଳିବ ବଲିଉଡ୍ ଷ୍ଟାରଙ୍କ ଜଲୱା । ଏଥର ଦଶହରାରେ ନୂଆ ଢ଼ଙ୍ଗରେ ନୂଆ ରୂପରେ ଓଲିଉଡ ଭେଟିଦେବ ଦର୍ଶକଙ୍କୁ ଏକ ସୁନ୍ଦର ଉପହାର । ସୂଚନା ଅନୁଯାୟୀ, ବହୁ ଦିନର ବ୍ୟବଧାନ ପରେ ଓଲିଉଡ୍ ପୁଣିଥରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି ମେଗା ଆକ୍ସନ୍ ଷ୍ଟାର ଅରିନ୍ଦମ୍ ରୟ । ‘ବାବୁ ଭାଇଜାନ୍’ ପରେ ନୂଆଲୁକ୍, ନୂଆ କାହାଣୀ ସହ ଦଶହରାରେ ‘ରାମ୍’ ଅବତାରରେ ନଜର ଆସିବାକୁ ଯାଉଛନ୍ତି ଅରିଦମ୍ । ତାଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ମଧ୍ୟ ପ୍ରଥମଥର ପାଇଁ ଓଲିଉଡରେ ଦେଖିବାକୁ ମିଳିବ । ରତ୍ନା ଫିଲ୍ମସ ବ୍ୟାନରର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ନୂଆ ଚଳଚ୍ଚିତ୍ର ।
ସୂଚନା ଅନୁଯାୟୀ, ଏହି ଫିଲ୍ମ ଏକା ସାଙ୍ଗରେ ଦୁଇଟି ୟୁନିଟରେ ସୁଟିଂ ଚାଲିଥିବା ବେଳେ ୬ଟି କ୍ୟାମେରାରେ ସୁଟିଂ ହେଉଛି, ଯାହା ଓଲିଉଡ଼ ପାଇଁ ନୂଆ କଥା। ଗୋଟିଏ ୟୁନିଟରେ ଫାଇଟ୍ ଦୃଶ୍ୟ ଏବଂ ଦ୍ଵିତୀୟ ୟୁନିଟରେ ବଲିଉଡ ଅଭିନେତା ରାହୁଲ ଦେବଙ୍କ ଦୃଶ୍ୟ ସୁଟିଂ ହେଉଛି। ଏଥର ବଲିଉଡ୍ ଅଭିନେତା ରାହୁଲ୍ ଦେବଙ୍କ ଧମାକାଦାର ଏଣ୍ଟ୍ରି ଓଡିଆ ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।
ସେପଟେ ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଅଛନ୍ତି ଭାରଦ୍ୱାଜ ପଣ୍ଡା । ଏହାସହ ‘ରାମ୍’ ଚଳଚ୍ଚିତ୍ରକୁ ଦର୍ଶକମାନେ ବହୁ ମାତ୍ରାରେ ସମର୍ଥନ କରିବେ ବୋଲି କାମନା କରିଛନ୍ତି ନିର୍ଦ୍ଦେଶକ ।