ଓଡ଼ିଶା 365 (ବ୍ୟୁରୋ) : ଯାଜପୁର ଜିଲ୍ଲା, ମା’ ବିରଜା ମନ୍ଦିର ନିକଟରୁ ସିଂହପୁର ରାସ୍ତାରେ ୧କି.ମି. ଗଲାପରେ ତ୍ରିଲୋଚନେଶ୍ୱର ମନ୍ଦିର । କଳା ପାହାଡ଼ ଆକ୍ରମଣ ବେଳେ ଯାଜପୁରର ଦେବାଦେବୀମାନଙ୍କ ମୂର୍ତ୍ତିକୁ ଭାଙ୍ଗି ବିକଳାଙ୍ଗ କରିଦିଆଯିବା ସଙ୍ଗେ ସଙ୍ଗେ ଅନେକ ଦେବାଦେବୀଙ୍କୁ ବୈତରଣୀ ନଦୀରେ ପକାଇ ଦିଆଯାଇଥିବା କଥା ଅନୁମାନ କରାଯାଇଛି । ତ୍ରିଲୋଚନେଶ୍ୱର ମୁଖଶାଳା ଆଗରେ ବିକ୍ଷିପ୍ତ ଭାବରେ ପଡ଼ିଥିବା ଶିବଲିଙ୍ଗ ସେହି ସମୟରୁ ବୋଧହୁଏ ଭାଙ୍ଗିରୁଜି ଯାଇଛି । ବିକ୍ଷିପ୍ତଭାବରେ ପଡ଼ିଥିବା ଶିବଲିଙ୍ଗଗୁଡିକୁ ନେଇ ୧୦୮ଟି ମନ୍ଦିର ସ୍ଥାପନ କରାଯାଇଛି । ତା’ମଧ୍ୟରୁ ଯାଉଁଳି ବନ୍ଧର ମହାଦେବ ଗଙ୍ଗବଂଶର କୀର୍ତ୍ତି ତ୍ରିଲୋଚନେଶ୍ୱର ଅନ୍ୟତମ । ଏହି ମନ୍ଦିର ଲୋକଙ୍କ ମନରେ କାହିଁକି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଶିବ ମନ୍ଦିରର ମୁଖ- ପୂର୍ବଦିଗକୁ ଥିବାବେଳେ ଏହାର ମୁଖ ପଶ୍ଚିମକୁ ।
ମନ୍ଦିର ବେଢାରେ ରହିଛି ଆଉ ଏକ ଶିବମନ୍ଦିର । ଯାହାକି ତ୍ରିଳଭାଣ୍ଡେଶ୍ୱର ନାମରେ ପରିଚିତ । ଲିଙ୍ଗର ଉଚ୍ଚତା ପ୍ରାୟ ୩ଫୁଟ ଏବଂ ଗୋଲେଇ ପ୍ରାୟ ୧ଫୁଟ । ଏପରି ଶିବଲିଙ୍ଗ ବିରଜାକ୍ଷେତ୍ରରେ ବିରଳ । ମନ୍ଦିରକୁ ପ୍ରବେଶ କଲା ପରେ କୁଣ୍ଡପାଖକୁ ଲାଗି ଅଠର ହାତ ବିଶିଷ୍ଟ ମା’ କାଳୀଙ୍କ ମୂର୍ତ୍ତି । ଏହି କାଳୀ ମୂର୍ତ୍ତି ଭାରତର ଏକ ବିରଳ ମୂର୍ତ୍ତି । ଅଠର ହାତରେ ସେ ଖପୁରୀମାଳା, ମୁଣ୍ଡ, ତ୍ରିଶୂଳ, ଖଡ୍ଗ, ସର୍ପ ଧନୁଶର, ଶଙ୍ଖ, ଖଣ୍ଡା ଡମ୍ବରୁ ଆଦି ଅଠର ଗୋଟି ଆୟୁଧ ଧରିଥିବାର ଦେଖାଯାଏ । କୁଣ୍ଡ ନିକଟରେ ଗୋଟିଏ ପଥରର ଗରୁଡ଼ ମୂର୍ତ୍ତି ଏକ ସୁଡ଼ଙ୍ଗକୁ ଜଗିରହିଛି । ତ୍ରିଲୋଚନେଶ୍ୱରଙ୍କ ମନ୍ଦିରଟିର ଉଚ୍ଚତା ୬୬ଫୁଟ । ଏଗୁଡ଼ିକ ଷଷ୍ଠ ଶତାବ୍ଦୀରୁ ନବମ ଶତାବ୍ଦୀ ପର୍ଯ୍ୟନ୍ତ କୌଣସି ଏକ ମନ୍ଦିର ଅଂଶବିଶେଷ ବୋଲି ବିଶ୍ୱାସ କରାଯାଏ ।