ଓଡ଼ିଶା 365 (ବ୍ୟୁରୋ) : ବିବାହ ପ୍ରସ୍ତାବରେ ମନା କରିବାରୁ ନାବାଳିକାଙ୍କୁ ଗୁଳି କରି ହତ୍ୟା । ପଞ୍ଜାବ ଅମୃତସରର ଅଜନାଲା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ବାରମ୍ବାର ବିବାହ ପାଇଁ ବାଧ୍ୟ କରିବା ପରେ ନାବାଳିକା ଏଥିରେ ରାଜି ନହେବାରୁ ଯୁବକ ଜଣକ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଛି । ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।ଅଭିଯୋଗ ଅନୁଯାୟୀ, ଅଜନାଲା ଅଞ୍ଚଳର ଜଣେ ୨୩ ବର୍ଷୀୟ ଯୁବକ ଉକ୍ତ ଅଞ୍ଚଳର ୧୩ ବର୍ଷୀୟ ନାବାଳିକାକୁ ଏକ ତରଫା ପ୍ରେମ କରୁଥିଲା । ଅନେକ ସମୟରେ ନାବାଳିକାଙ୍କୁ ବାଟରେ ଅଟକାଇ ହଇରାଣ ହରକତ କରୁଥିଲା । ଏପରିକି ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲା । ଏନେଇ ନାବାଳିକା ନିଜ ଘରେ କହିଥିଲେ ।
କିଛି ମାସ ଧରି ଯୁବକ ଉକ୍ତ ନାବାଳିକାଙ୍କୁ ହଇରାଣ କରିବା ପରେ ପରିବାର ଲୋକେ ତାଙ୍କୁ ମାଉସୀ ଘରକୁ ପଠାଇ ଦେଇଥିଲେ । ଏହାପରେ ଯୁବକ ଜଣକ ନିଜ ସାଙ୍ଗ ମାନଙ୍କୁ ଧରି ନାବାଳିକାଙ୍କ ମାଉସୀ ଗ୍ରାମକୁ ପହଞ୍ଚିଥିଲା । ହଠାତ ନାବାଳିକାଙ୍କ ମାଉସୀ ଘରକୁ ପଶି ଆସି ଘଟାଇଥିଲା ଉନ୍ମତ୍ତ କାଣ୍ଡ । ବନ୍ଧୁକ ଧରି ନାବାଳିକାଙ୍କୁ ବିବାହ ପ୍ରସ୍ତାବରେ ରାଜି ହେବାକୁ କହିଥିଲା । କିନ୍ତୁ ନାବାଳିକା ଏଥିରେ ମନା କରିଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ନାବାଳିକାଙ୍କୁ ଗୁଳି ଚଳାଇଥିଲା । ତାଙ୍କ ବେକରେ ଗୁଳି ବାଜିଥିବାରୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।