ଓଡ଼ିଶା 365 (ବ୍ୟୁରୋ): ଚନ୍ଦ୍ରରେ କମାଲ କରୁଛି ଚନ୍ଦ୍ରାୟନ। ପ୍ରତିଦିନ ନୂଆ ନୂଆ ତଥ୍ୟ ଦେଉଛି । ଆଉ ଏବେ ବିକ୍ରମ ସାମ୍ନାରେ ଛୋଟ ଛୁଆଟିଏ ଭଳି ନିଜ ଚାରିପଟେ ଘୁରୁଛି । ଏଭଳି ଭିଡିଓ ପଠାଇଛି ବିକ୍ରମ । ଏ ଦେଖନ୍ତୁ ରୋଭର ପ୍ରଜ୍ଞାନ । କିଭଳି ନିଜ ଚାରିପଟେ ବୁଲି ମଜା ନେଉଛି । ବିକ୍ରମ ଏବଂ ପ୍ରଜ୍ଞାନର ଯୋଡି ଇସ୍ରୋକୁ ଅନେକ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ପ୍ରଦାନ କରିସାରିଲାଣି। ଦିନ ଚନ୍ଦ୍ରପୃଷ୍ଠରେ ଯେତେ ଗଡ଼ୁଛି ସେତିକି ରୋମାଞ୍ଚକର ତଥ୍ୟ ଦେଉଛି ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ନାଭିଗେସନ୍ କ୍ୟାମେରାର ବ୍ୟବହାର କରିଛି ଲ୍ୟାଣ୍ଡର ବିକ୍ରମ । ଆଉ ଏହି କ୍ୟାମେରାରେ ରୋଭରର ଚିତ୍ର ଉତ୍ତୋଳନ କରିଛି, ଯାହାର ଭିଡିଓ ସେୟାର କରିଛି ଇସ୍ରୋ। ଚନ୍ଦ୍ରରେ ଚନ୍ଦ୍ରଯାନ-୩ ଅବତରଣ କରିବା ପରେ ପ୍ରଥମ କରି ଏଭଳି ଚିତ୍ର ପଠାଇଛି ଲ୍ୟାଣ୍ଡର । ବର୍ତ୍ତମାନ ପର୍ୟ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଫଟୋ ଉଠାଉ ଥିବାବେଳେ ଏବେ ଭିଡିଓ କରିଛି ଯାହା ଅତି ସୁନ୍ଦର ଲାଗୁଛି । ଅତ୍ୟାଧୁନିକ କ୍ୟାମେରାରେ ଏସବୁ ରେକର୍ଡିଂ ହୋଇଛି । କିଛି ଦିନ ତଳେ ଚନ୍ଦ୍ରପୃଷ୍ଠର ଉତ୍ତାପ ମାପିଥିଲା ଚାଷ୍ଟେ। ଇସ୍ରୋ ଲ୍ୟାଣ୍ଡରର ଏସମସ୍ତ ଫଟୋ ନାଭକ୍ୟାମ ମାଧ୍ୟମରେ କଏଦ କରିଛି ରୋଭର୍। ଏହା ପରେ ଚନ୍ଦ୍ରପୃଷ୍ଠରେ କ’ଣ କ’ଣ ରହିଛି ତାହା ମଧ୍ୟ ଜଣାଇଛି ପ୍ରଜ୍ଞାନ ।
ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩। ଏହାପରେ ସେଠାରୁ ନୂଆ ନୂଆ ତଥ୍ୟ ପଠାଉଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ସହ ଖଣିଜ ପଦାର୍ଥର ଅନୁସନ୍ଧାନ କରୁଛି। ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଳଜାନର ଅନୁସନ୍ଧାନ କରିଛି। ଏହା ସାଙ୍ଗକୁ ସେଠାରେ ସଲଫର, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଥିବା ଜାଣିବାକୁ ପାଇଛି। ୧୪ ଦିନ ପର୍ୟ୍ୟନ୍ତ ଚନ୍ଦ୍ରଯାନ-୩ ତଥ୍ୟ ପଠାଇବ ବୋଲି କହିଥିଲା ଇସ୍ରୋ। ବର୍ତ୍ତମାନ ୯ ଦିନ ସରି ସାରିଥିବା ବେଳେ ଆଗକୁ ଆଉ୫ ଦିନ ପର୍ୟ୍ୟନ୍ତ ଡାଟା ପଠାଇବ।
ଏହି ସମୟରେ ଚନ୍ଦ୍ରପୃଷ୍ଠର ଆହୁରି ନୂଆ ନୂଆ ତଥ୍ୟ ଆସିବା ନେଇ ଆଶା ରଖିଛି ଇସ୍ରୋ। ଚନ୍ଦ୍ରପୃଷ୍ଠରେ ସମ୍ମୁଖୀନ ହେଉଥିବା ଖାଲଖମା ଓ ପଥର ଆଦି ଏଡ଼ାଇବା ପାଇଁ ବେଙ୍ଗାଲୁରୁ ସ୍ଥିତ କମାଣ୍ଡ୍ ସେଣ୍ଟର୍ରୁ ରିମୋର୍ଟ କଣ୍ଟ୍ରୋଲ୍ଦ୍ବାରା ‘ପ୍ରଜ୍ଞାନ ରୋଭର୍’କୁ ନିୟନ୍ତ୍ରଣ କରାଯାଉଛି। ଆସନ୍ତା ସପ୍ତାହରୁ ଚନ୍ଦ୍ରପୃଷ୍ଠରେ ରାତି ହେବାକୁ ଆଗରୁ ‘ରୋଭର୍ ପ୍ରଜ୍ଞାନ’ ଓ ‘ଲାଣ୍ଡର୍ ବିକ୍ରମ’ ତୁରନ୍ତ ପରୀକ୍ଷାନିରୀକ୍ଷା ଶେଷ କରିବାକୁ ଦ୍ରୁତ ବେଗରେ କାର୍ୟ୍ୟ ଚଳାଇଛନ୍ତି।