ଓଡ଼ିଶା 365 (ବ୍ୟୁରୋ): ମଣିଷ ମୃତ୍ୟୁ ପରେ ତାର ଶବକୁ ଦାହ କରାଯାଏ । ନଚେତ୍ ମାଟିରେ ପୋତି ଦିଆଯାଏ । ମୃତ୍ୟୁ ପରେ ଶବକୁ ଅଧିକ ଦିନ ରଖାଯାଏ ନାହିଁ । କାରଣ ଏଥିରୁ ପଚା ସଢ଼ା ଗନ୍ଧ ବାହାରିଥାଏ । ହେଲେ ପୃଥୀବିରେ ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ମୃତ୍ୟୁ ପରେ ମଣିଷର ଶବକୁ ପୋଡ଼ିବା ବଦଳରେ ସାଇତିକି ରଖାଯାଇଥାଏ । ଇଣ୍ଡୋନେସିଆର ବାଲି ଦ୍ବୀପ ଅନ୍ତର୍ଗତ ବାତୁର ହ୍ରଦର ପୂର୍ବ ଉପକୂଳରେ ରହିଛି ତ୍ରୁନ୍ୟାନ୍ ଗାଁ। ସେଠାରେ ପର୍ବତ ପରିବେଷ୍ଟିତ ପରିବେଶରେ ‘ବାଲି ଆଗା’ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି ।
ସେମାନଙ୍କର ଶବ ସତ୍କାରର ବିଚିତ୍ର ପରମ୍ପରା ରହିଛି । ସେମାନେ ଶବଗୁଡ଼ିକୁ କବର ଦେବା କି ଦାହ କରିନଥାନ୍ତି ବରଂ ଜଙ୍ଗଲ ଭିତରେ ପ୍ରାକୃତିକ ଭାବେ ଅବକ୍ଷୟ ହେବାକୁ ଛାଡ଼ିଦିଅନ୍ତି। ଦେହରୁ ମାଂସ ଶଢ଼ି ଝଡ଼ିଗଲା ପରେ ଖପୁରି ଓ ଅସ୍ଥିଗୁଡ଼ିକୁ ଉଦ୍ଧାର କରି ନୂତନ ଜୀବନ ଆଶାରେ ସେଗୁଡ଼ିକୁ ପଥର ଚଟାଣ ଉପରେ ରଖିଦିଅନ୍ତି । । ଏହି ସମ୍ପ୍ରଦାୟର ଶବସତ୍କାର ସ୍ଥଳକୁ ଆସୁଥିବା ପର୍ୟ୍ୟଟକମାନେ ଶବରୁ ପଚାଶଢ଼ା ଗନ୍ଧ ବାହାରୁନଥିବା ଦେଖି ଆଶ୍ଚର୍ୟ୍ୟ ହୋଇଥା’ନ୍ତି। ଏହା ସମ୍ଭବ ହୋଇପାରିଛି ‘ମେନ୍ୟାନ୍ ତରୁ’ ବା ସୁଗନ୍ଧି ବୃକ୍ଷ ପାଇଁ । ଏହି ବୃକ୍ଷର ସୁବାସ ପାଇଁ ମଣିଷ ଶରୀରରୁ ଦୁର୍ଗନ୍ଧ ବାହାରିନଥାଏ ।
ଏହାସହ ଏହି ଗାଁରେ ତିନିଟି ଶବସତ୍କାର ସ୍ଥଳ ରହିଛି। ଶିଶୁ ଦୁର୍ଘଟଣାରେ ମୃତ ଓ ଆତ୍ମହତ୍ୟା କରିଥିବା ଲୋକଙ୍କ ପାଇଁ ସେଠାରେ ସ୍ଥାନ ମିଳିନଥାଏ। ପ୍ରତି ଶବସତ୍କାର ସ୍ଥଳରେ ଏଗାରଟି ଲେଖାଏଁ ବାଉଁଶ ତାଟି ଓ ତାଳ ବାହୁଙ୍ଗା ଘେରା ଗମ୍ବୁଜ ରହିଥାଏ। ଏହାରି ମଧ୍ୟରେ ଶବ ସଢ଼ିଲା ପରେ ଅସ୍ଥି ସଂଗ୍ରହ କରାଯାଇ ନୂତନ ଶବକୁ ରଖାଯାଇଥାଏ।