ଓଡ଼ିଶା 365 (ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚତାରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ରହିଛି। ଫଳ ସ୍ୱରୂପ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଥିବା ବେଳେ ୩ ତାରିଖ ଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ସେପ୍ଟେମ୍ବର ୧ ତାରିଖ ଅପରାହ୍ନ ସୁଦ୍ଧା ଉପକୂଳ, ଆଭ୍ୟନ୍ତରୀଣ, ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୨୩ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ଭାରତୀୟ ପାଣିପାଗ କେନ୍ଦ୍ର।
ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଦେବଗଡ଼, ବୌଦ୍ଧ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି କନ୍ଧମାଳ, ରାୟଗଡ଼ା, ସମ୍ବଲପୁର, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୨୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟପକ୍ଷରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ଆକାଶ ଆଂଶିକ ମେଘାଛନ୍ନ ରହିଛି। ତେବେ, ଟୁଇନ୍ ସିଟି ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।