ଓଡ଼ିଶା 365 (ବ୍ୟୁରୋ): ବିଶ୍ବାସ ଓ ଭରଷାର ପର୍ବ ରାକ୍ଷୀ। ଏହି ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଟିଏ ମଙ୍ଗଳ କାମନା କରି ଭାଇ ହାତରେ ବାନ୍ଧିଦିଏ ରାକ୍ଷୀ, ସ୍ନେହ ଓ ସୁରକ୍ଷାର ଅଳି କରେ। ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଉଣୀଟିଏ ପ୍ରାର୍ଥନା କରିଥାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରେ । ଭଉଣୀର ରାକ୍ଷୀ ବଦଳରେ ଭାଇ ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ଏବଂ ତାର ସୁଖ ଦୁଖଃରେ ସାଥି ହୋଇଥାଏ। ଏହି ପର୍ବକୁ ଭଉଣୀମାନେ ଚାତକ ପରି ଚାହିଁ ବସିଥାନ୍ତି । ଏହି ପର୍ବରେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ରାକ୍ଷୀ ବାନ୍ଧିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ ଯୋଗ ଦେବାକୁ ମୁମ୍ବାଇ ଯାଇଥିବା ଦିଦି ଅମିତାଭ ବଚ୍ଚନଙ୍କୁ ସାକ୍ଷାତ କରି ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ମମତା କହିଛନ୍ତି ‘ଅମିତାଭ ମୋ ପାଇଁ ଭାରତ ରତ୍ନ’ ।
ସୂଚନା ଅନୁଯାୟୀ, ମୁମ୍ବାଇରେ ପହଞ୍ଚି ଅମିତାଭଙ୍କ ବାସଭବନକୁ ଯାଇ ପୂରା ବଚ୍ଚନ ପରିବାରକୁ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ବର୍ୟ୍ୟା ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ, ଝିଅ ସ୍ବେତା ବଚ୍ଚନ ଓ ନାତୁଣୁ ନବ୍ୟା ନବେଲୀ ନନ୍ଦମଧ୍ୟ ଉପସ୍ଥିତ ଥିଲେ।