ଓଡ଼ିଶା 365 (ବ୍ୟୁରୋ) : ଏଣିକି ଆଉ ଚିନ୍ତା କରିବାକୁ ପଡିବନି । କମିବ କ୍ୟାନସର ଆକ୍ରାନ୍ତଙ୍କ ଚିକିତ୍ସା ଅବଧି । ଘଣ୍ଟାଏ ବଦଳରେ ଏଣିକି ମାତ୍ର ୭ମିନିଟରେ ଦିଆଯାଇପାରିବ ଇଂଜେକସନ୍ । ଏନେଇ ଇଂଲଣ୍ଡର ନ୍ୟାସନାଲ ହେଲଥ ସର୍ଭିସ ପକ୍ଷରୁ ଦାବି କରାଯାଇଛି । ପୂର୍ବରୁ କ୍ୟାନସର ଆକ୍ରାନ୍ତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଇଂଜେକସନ ବା ଆମେଯାକୁ କେମୋ ବୋଲି କହିଥାଉ ତାହା ପାଖାପାଖି ତିରିଶ ମିନିଟରୁ ଏକଘଣ୍ଟା ସମୟ ଲାଗୁଥିଲା । ଯାହା ଫଳରେ ରୋଗୀଟି ଅଧିକ କଷ୍ଟ ପାଉଥିଲା । ଖାଲି ସେତିକି ନୁହେଁ ଅନେକ କ୍ଷେତ୍ରରେ ଦେଖାଯାଇଛି ରୋଗୀକୁ କେମୋ ବା ଇଂଜେକସନ୍ ନେବାପାଇଁ ଏକ ଘଣ୍ଟାରୁ ଅଧିକ ସମୟ ମଧ୍ୟ ଲାଗିଛି । ଏବେ କିନ୍ତୁ ଏହି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ।
ନୂଆ ଚିକିତ୍ସା ପ୍ରଣାଳୀ ଦ୍ୱାରା ୭ ମିନିଟ୍ ରେ କେମୋନେବା ସମ୍ଭବପର ହୋଇପାରିଛି । ତେବେ ଇଂଜେକସନକୁ ପୂର୍ବରୁ ଭେନରେ ଦିଆଯାଉଥିବା ବେଳେ ଅନେକ ସମସ୍ୟା ଦେଖିବାକୁ ମିଳେ । କିନ୍ତୁ ଏହି ନୂଆ ଇଂଜେକସନକୁ ଚର୍ମ ତଳେ ଦିଆଯିବ । ଫଳରେ ରୋଗୀଙ୍କ ଚିକିତ୍ସା ସହଜସାଧ୍ୟ ହେବା ସହ ଡାକ୍ତରୀ ଟିମକୁ ଅଧିକ ସମୟ ମିଳିବ । ଇଂଲଣ୍ଡର ନ୍ୟାସନାଲ ହେଲଥ ସର୍ଭିସ ପକ୍ଷରୁ ପ୍ରସ୍ତୁତ ଏହି ଇଂଜେକସନ୍ ଫୁସଫୁସ, ସ୍ତନ, ଯକୃତ କ୍ୟାନସର ଆକ୍ରାନ୍ତଙ୍କ ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି ।