ଓଡ଼ିଶା 365 (ବ୍ୟୁରୋ) : ଆସନ୍ତାକାଲି ଠାରୁ ଆରମ୍ଭ ହେବ ସେପ୍ଟେମ୍ବର ମାସ । ନୂଆ ମାସ ଆରମ୍ଭ ହେବା ସହ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ନଜର ପକାନ୍ତୁ ସେପ୍ଟେମ୍ବର ପହିଲାରୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ଆସିବ ।
ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ ସେପ୍ଟେମ୍ବର ପହିଲାରୁ କମିବ ଏସପିଜି ସିଲିଣ୍ଡର ଦର । ଅଗଷ୍ଟ ୨୯ ତାରିଖରେ ଉପଭୋକ୍ତାଙ୍କ ପାଇଁ ଏହି ବଡ ଘୋଷଣା କରିଥିଲେ କେନ୍ଦ୍ର ସରକାର । ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି । ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ସମେତ ଦେଶର ସମସ୍ତ ଗ୍ୟାସ ଉପଭୋକ୍ତା ଏହାର ଲାଭ ପାଇବେ । ତେବେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଡବଲ ଲାଭ ମିଳିବ । କାରଣ ସିଲିଣ୍ଡର ଦର ୨୦୦ ଟଙ୍କା କମିଥିବା ବେଳେ ଉଜ୍ଜ୍ୱଳା ଯୋଜନାରେ ୨୦୦ ଟଙ୍କାର ସବସିଡ ମଧ୍ୟ ମିଳିବ ।
ସିଏନଜି-ପିଏନଜି ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ: ସେପ୍ଟେମ୍ବର ପହିଲାରୁ ସାଧାରଣ ଲୋକଙ୍କ ପକେଟକୁ ପୁଣି ଝଟକା ଲାଗି ପାରେ । କାହିଁକିନା ସିଏନଜି ଓ ଘରୋଇ ପିଏନଜିର ନୂଆ ଦର ଲାଗୁ ହୋଇପାରେ ।
କ୍ରେଡିଟ୍ କାର୍ଡରେ ଆସିପାରେ ପରିବର୍ତ୍ତନ: ସେପ୍ଟେମ୍ବର ପହିଲାରୁ କ୍ରେଡିଟ କାର୍ଡ ନିୟମରେ ପରିବର୍ତ୍ତନ ଆସିପାରେ । ଆକ୍ସିସ୍ ବ୍ୟାଙ୍କର ମ୍ୟାଗ୍ନସ କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ ଆସିବା ନେଇ କୁହାଯାଉଛି । ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ, କିଛି ନେଣଦେଣରେ ରିହାତି ପାଇ ପାରିବେନି ଗ୍ରାହକ । ଏଥିସହ ଯେଉଁ ମାନେ ମ୍ୟାଗ୍ନସ କ୍ରେଡିଟ୍ କାର୍ଡ ରଖିଛନ୍ତି ସେମାନଙ୍କୁ ମଧ୍ୟ ବାର୍ଷିକ ଦେୟ ଦେବାକୁ ପଡିପାରେ ।
ଯଦି ଆପଣଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ ଅଛି ତୁରନ୍ତ ବ୍ୟାଙ୍କରେ ବଦଳାଇ ଦିଅନ୍ତୁ । ନଚେତ ଆପଣ ପରେ ଅସୁବିଧାର ସମ୍ମୁଖୀନ ହେବେ । କାହିଁକିନା ସେପ୍ଟେମ୍ବର ମାସରେ ୧୬ଦିନ ବ୍ୟାଙ୍କ ବନ୍ଦ ରହିବ । ପୂର୍ବରୁ ନୋଟ ବଦଳାଇବାର ଶେଷ ତାରିଖ ସେପ୍ଟେମ୍ବର ୩୦ ବୋଲି ଘୋଷଣା କରାଯାଇଥିଲା ।
ଯଦି ଆପଣ ଆଧାରକାର୍ଡ ଅପଡେଟ କରି ନାହାନ୍ତି, ତେବେ ଜଲଦି ଜଲଦି କରି ନିଅନ୍ତୁ । କାହିଁକି ନା ମାଗଣାରେ ଆଧାରକାର୍ଡ ଅପଡେଟର ଶେଷ ତାରିଖ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି ।
ଆଧାର କାର୍ଡଧାରୀଙ୍କୁ ମାଗଣାରେ ଅପଡେଟ୍ କରିବା ପାଇଁ ସୁବିଧା ଯୋଗାଇ ଦେଇଛି । ପୂର୍ବରୁ ଏହି ସୁବିଧା ଜୁନ୍ ୧୪ ପର୍ଯ୍ୟନ୍ତ ଥିଲା । ସେପ୍ଟେମ୍ବର ୧୪ ତାରିଖର ପରେ ଯଦି ଆଧାର ଅପଡେଟ କରନ୍ତି ତେବେ ଆପଣଙ୍କୁ ଦେୟ ଦେବାକୁ ପଡିବ ।
ସେପ୍ଟେମ୍ବରରେ ଶେଷ ହେବ ଡିମାଡ ଆକାଉଣ୍ଟରେ ନାମାଙ୍କନ ପ୍ରକ୍ରିୟା: ଡିମାଡ ଆକାଉଣ୍ଟରେ ନାମାଙ୍କନ ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଛି । ତେଣୁ ସମୟ ଶେଷ ହେବା ପୂର୍ବରୁ ଡିମାଡ ଆକାଉଣ୍ଟରେ ନାମାଙ୍କନ କରି ନିଅନ୍ତୁ । ନାମାଙ୍କନ ବିନା ଡେମାଡ ଆକାଉଣ୍ଟ ସେବି ଦ୍ୱାରା ନିଷ୍କ୍ରିୟ କରାଯିବ ।