ଓଡ଼ିଶା 365 (ବ୍ୟୁରୋ) : ଜି-୨୦, ଏହା ହେଉଛି ଅନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ଏକ ପ୍ରମୁଖ ଫୋରମ ବା ମଞ୍ଚ । ଜି-୨୦ ପ୍ରାରମ୍ଭରେ ସମଷ୍ଟିଗତ ଅର୍ଥନୈତିକ ପ୍ରସଙ୍ଗ ସବୁ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଥିଲା । ପରବର୍ତ୍ତୀ ସମୟରେ ଏହା ବାଣିଜ୍ୟ, ସ୍ୱାସ୍ଥ୍ୟ,କୃଷି, ଶକ୍ତି, ପରିବେଶ, ନିରନ୍ତର ବିକାଶ, ଜଳବାୟୁ ପରିବର୍ତ୍ତନ ଏବଂ ର୍ଦୁନୀତି ନିବାରଣ ଆଦିକୁ ଅନ୍ତର୍ଭୁକ୍ତ କରିଛି । ତେବେ ପ୍ରତିବର୍ଷ ଏକ ପରିବର୍ତ୍ତିତ ସଦସ୍ୟ ରାଷ୍ଟ୍ରର ଅଧ୍ୟକ୍ଷତାରେ ଜି-୨୦ସମ୍ମିଳନୀ ସେହି ରାଜ୍ୟରେ ଅନୁଷ୍ଠିତ ହୋଇଥାଏ । ତେବେ ଏହି ସମ୍ମିଳନୀରେ ଯୋଗ ଦେବେନି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଏନେଇ ଚୀନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଆସନ୍ତା ୯ ଏବଂ ୧୦ ତାରିଖରେ ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଜିନପିଙ୍ଗ ଏହି ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିନପାରନ୍ତି । ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବାକୁ ମନା କରି ଦେଇଥିଲେ । ହେଲେ ସମ୍ମିଳନୀଙ୍କୁ ସେ ନିଜର ପ୍ରତିନିଧିଙ୍କୁ ଯୋଗ ଦେବା ପାଇଁ ପଠାଇବେ ବୋଲି କହିଛନ୍ତି । ତେବେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗାଇ ଲାଭରୋଭ ଋଷ ତରଫରୁ ଯୋଗ ଦେବେ ବୋଲି ଜଣାପଡିଛି ।
ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଋଷ ଏବଂ ଚୀନର ରାଷ୍ଟ୍ରପତି ଭାରତ ଆସିବା ପାଇଁ ମନା କରିଛନ୍ତି । ଯାହାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଋଷର କାର୍ଯ୍ୟକଳାପକୁ ସମର୍ଥନ କରିନଥିଲା ଭାରତ । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନକୁ ଭାରତ ସମର୍ଥନ କରିବା ସହ ଭର୍ଚୁଆଲ ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମର ଜେଲେନ୍ସ୍କିଙ୍କୁ ଯୋଗଦେବା ପାଇଁ ହୋଇଥିବା ଏକ ଭୋଟିଂରେ ଭାରତ ଜେଲେନ୍ସ୍କିଙ୍କୁ ସମର୍ଥନ କରିଥିଲା । ହେଲେ ଋଷ ରାଷ୍ଟ୍ରଦୂତ ଭାସିଲି ଏ ନେବେଞ୍ଜିଆ ଭିଡିଓ କନଫରେନ୍ସିଂରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣକୁ ବିରୋଧ କରିଥିଲେ । କିନ୍ତୁ ଚୀନ ଏହି ସମୟରେ ଭୋଟିଂରୁ ନିଜକୁ ନିବୃତ୍ତ ରଖିଥିଲା ।
ତେବେ ଏହା ଜୋହାନ୍ସବର୍ଗରେ ଆୟୋଜିତ ବୈଠକରେ ସି ଜିନପିଙ୍ଗ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ଏଠାରେ ଏଲଏସି ରେ ଉତ୍ତେଜନା ହ୍ରାସ ଓ ଶାନ୍ତି ନିଶ୍ଚିତ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିରେ ଉଭୟ ନେତା ସହମତ ହୋଇଥିଲେ ।ଅପରପକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସି ଶିଖର ସମ୍ମିଳନୀରେ ଯୋଗ ଦେବା ନେଇ ନିଶ୍ଚିତ କରିଛନ୍ତି ।
ଆମେରିକା ସହିତ ଭାରତ ସର୍ବଦା ସୁସମ୍ପର୍କ ସ୍ଥାପନ କରି ଆସିଥିବାବେଳେ ବାଇଡେନଙ୍କ ଭାରତ ଆଗମନ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆହୁରି ଉତ୍ତମ ବୁଝାମଣା ହୋଇପାରିବ । ଏହାସହ ବୈଠକରେ ଯୋଗ ଦେବାକୁ ଥିବା ଦେଶ ଗୁଡିକ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରାଯିବ ।
ଅନ୍ୟପକ୍ଷରେ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ମଲ୍ଟି–ଏଜେନ୍ସି କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବ । ବିଦେଶରୁ ଆସୁଥିବା ଅତିଥିମାନଙ୍କ ପାଇଁ ଦିଲ୍ଲୀ ଏନସିଆରେର ୯ଟି ହୋଟେଲ ଓ ଦିଲ୍ଲୀରେ ୨୩ଟି ହୋଟେଲର ବ୍ୟବସ୍ଥା କରାଯାଇଛି । ଗାଜିଆବାଦ ହିଡନ ଏୟାରବେସ ଠାରୁ ପ୍ରଗତୀ ମୈଦାନର ଜି-୨୦ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ନିୟୋଜିତ ରହିବେ ସୁରକ୍ଷାକର୍ମୀ । ସିଆରପିଏଫର ସ୍ପେଶାଲ କମାଣ୍ଡୋ ଟିମ୍ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ନିୟୋଜିତ ରହିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀକୁ ଆସିବାକୁ ଥିବା ଅତିଥିମାନଙ୍କ ପାଇଁ ୩୦୦ଟି ବୁଲେଟପ୍ରୁଫ୍ ଗାଡିର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।