ଓଡ଼ିଶା365(ବ୍ୟୁରୋ): ଦକ୍ଷିଣ ଆଫ୍ରିକାର ଜୋହାନେସ୍ବର୍ଗସ୍ଥିତ ଏକ ବହୁ-ତଳ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ। ଘଟଣାରେ ପାଖାପାଖି ୬୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏହି କଥା ମୁନିସ୍ପାଲ୍ ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି। ‘ଇମର୍ଜେନ୍ସି ମ୍ୟାନେଜ୍ମେଣ୍ଟ୍ ସର୍ଭିସେସ୍’ କହିଛି, ନିଆଁ ଲିଭାଯିବା ପରେ ତଲାସ ଓ ଉଦ୍ଧାର ଅଭିଯାନ ଚାଲିଛି। ତେଣୁ, ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ସରକାରୀ ଅଧିକାରୀମାନେ କହିଛନ୍ତି, ଏହି ଅଗ୍ନିକାଣ୍ଡ ଯୋଗୁଁ ପାଖାପାଖି ୪୩ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଜୋହାନେସ୍ବର୍ଗ ଇମର୍ଜେନ୍ସି ସର୍ଭିସ୍ର ଅଧିକାରୀ ରବର୍ଟ ମୁଲାଉଜି କହିଛନ୍ତି , କୋଠାଟି ଏକ ‘ଅନୌପଚାରିକ ଆଶ୍ରୟସ୍ଥଳ’ ଥିଲା। କୌଣସି ଔପଚାରିକ ‘ଲିଜ୍’ ଚୁକ୍ତିନାମା ନ ଥିବା ଲୋକେ ଆସି ସେଠାରେ ବସବାସ କରୁଥିଲେ। ତେଣୁ, ସେଠାରେ ତଲାସ କାର୍ଯ୍ୟ କରିବା କଷ୍ଟକର। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ପ୍ରବଳ ଧୂଆଁ ଯୋଗୁଁ କରି ଅସୁସ୍ଥ ହୋଇପଡ଼ିଥିବା କିଛି ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।