ଓଡ଼ିଶା365(ବ୍ୟୁରୋ): ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଲାଣି ପ୍ରଦୂଷିତ ବାୟୁ । ଯେଉଁଆଡ଼େ ଯିବ ସବୁଆଡ଼େ ପ୍ରଦୂଷଣ। ଏହି ପ୍ରଦୂଷଣ ଏବେ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେଶର ରାଜଧାନୀ ଦିଲ୍ଲୀ ହେଉଛି ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର। ଏକ ଅଧ୍ୟୟନରୁ ଜଣାପଡ଼ିଛି, ଯଦି ବର୍ତ୍ତମାନର ପ୍ରଦୂଷଣ ସ୍ତର ଆଗକୁ ଏହିଭଳି ଭାବରେ ଜାରି ରହିବ ତେବେ ଦିଲ୍ଲୀ ବାସିନ୍ଦାଙ୍କର ଆୟୁ ହାରାହାରି ୧୧.୯ ବର୍ଷ କମିଯିବ। ସିକାଗୋ ବିଶ୍ବବିଦ୍ୟାଳୟରେ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍ ଦ୍ବାରା ଜାରି ହୋଇଥିବା ଏକ୍ୟୁଏଲ୍ଆଇ (ଏୟାର କ୍ବାଲିଟି ଲାଇଫ୍ ଇଣ୍ଡେକ୍ସ)ରୁ ଏହା ଜଣାଯାଇଛି।
ଏଥିରେ କୁହାଯାଇଛି, ଭାରତର ବାର୍ଷିକ ହାରାହାରି ପ୍ରଦୂଷଣ ସ୍ତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଦ୍ବାରା ଧାର୍ଯ୍ୟ କରାଯାଇଥିବା ପ୍ରଦୂଷଣ ସ୍ତରକୁ ଅତିକ୍ରମ କରିଛି। ଦେଶର ୬୭.୪ ପ୍ରତିଶତ ଜନସଂଖ୍ୟା ରହୁଥିବା ଅଞ୍ଚଳରେ ମଧ୍ୟ ଦେଶର ନିଜସ୍ବ ଜାତୀୟ ବାୟୁ ଗୁଣବତ୍ତା ହାର ଠାରୁ ବାୟୁର ମାନ ଖରାପ ରହିଛି। ଅଧ୍ୟୟନ ଅନୁଯାୟୀ ବାୟୁ ପ୍ରଦୂଷଣ (ପିଏମ୍ ୨.୫) ଭାରତୀୟଙ୍କ ହାରାହାରି ଆୟୁ ୫.୩ ବର୍ଷ କମାଇ ଦେଉଛି। ଏକ୍ୟୁଏଲ୍ଆଇ ଅନୁଯାୟୀ ଦିଲ୍ଲୀ ହେଉଛି ବିଶ୍ବରେ ସର୍ବାଧିକ ପ୍ରଦୂଷିତ ସହର। ଯଦି ବର୍ତ୍ତମାନର ପ୍ରଦୂଷଣ ସ୍ତର ଆଗକୁ ଜାରି ରହେ ତେବେ ଦିଲ୍ଲୀର ୧୮ ନିୟୁତ ବାସିନ୍ଦାଙ୍କ ହାରାହାରି ଆୟୁ ୧୧.୯ ବର୍ଷ କମିଯିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ଦ୍ବାରା ବାୟୁର ମାନଦଣ୍ଡ ଅନୁସାରେ ଏଭଳି ହେବ।
କିନ୍ତୁ ଦେଶର ପ୍ରଦୂଷଣ ଗାଇଡଲାଇନ ମାନଦଣ୍ଡରେ ଦେଖିଲେ ଏମାନଙ୍କ ହାରାହାରି ଆୟୁ ୮.୫ ବର୍ଷ କମିଯିବ। ଏପରିକି କମ୍ ପ୍ରଦୂଷିତ ଜିଲ୍ଲା ପଞ୍ଜାବର ପଠାନକୋଟରେ ପ୍ରଦୂଷଣ କଣିକା ‘ହୁ’ର ଧାର୍ଯ୍ୟ ସୀମାଠାରୁ ୭ ଗୁଣା ଅଧିକ ରହୁଛି। ଯଦି ବର୍ତ୍ତମାନର ପ୍ରଦୂଷଣ ସ୍ତର ଜାରି ରହେ ତେବେ ଏଠାରେ ଲୋକଙ୍କ ଆୟୁ ମଧ୍ୟ ୩.୧ ବର୍ଷ କମିଯିବ। ସେହିପରି ଭାବରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦିନକରୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । କାରଣ ଭୁବନେଶ୍ୱରରେ ଦିନକୁ ଦିନ ଯାହବାହନର ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କ ପ୍ରଥମ ପସନ୍ଦର ସହର ଏବେ ଭୁବନେଶ୍ୱର ହୋଇଥିବା ବେଳେ ବାୟୁ ପ୍ରଦୂଷଣ ଚିନ୍ତା ବଢାଇଛି ।