ଓଡ଼ିଶା 365 (ବ୍ୟୁରୋ): ବିଶ୍ବାସ ଭରସାର ପର୍ବ ରାକ୍ଷୀ, ଏହା ସଭିଙ୍କୁ ବାନ୍ଧିଛି ବିଶ୍ବାସର ବନ୍ଧନରେ। ଯୁଗଯୁଗ ଧରି ଭାଇଭଉଣୀଙ୍କ ସମ୍ପର୍କକୁ କରିଛି ମଜବୁତ । ଶ୍ରୀମନ୍ଦିର ସହ ଯୋଡି ହୋଇଛି ରାଖିର ପରମ୍ପରା। ଆଜିର ଦିନକୁ ଆମେ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ମଧ୍ୟ କହିଥାଉ। ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଇଛି। ଏଥିସହ ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପାଟରା ବିଷୋୟୀ ସେବାୟତ ପ୍ରସ୍ତୁତ କରିଥିବା ଚାରୋଟି ରାକ୍ଷୀ ସହ ଗୁଆମାଳ ପହଞ୍ଚିବା ପରେ ସ୍ବତନ୍ତ୍ର ନୀତିକାନ୍ତି ପରେ ବଡ଼ ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା।
ପ୍ରତିବର୍ଷ ଶ୍ରୀମନ୍ଦିରରେ ପାଟରା ବିଷୋଇ ସେବକଙ୍କ ଦ୍ବାରା ଦିଆଯାଉଥିବା ରାଖି ଗହ୍ମାଫୁଲି ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀଭୁଜରେ ଲାଗି କରାଯାଏ। ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁସାରେ ନୀତି ପାଳନ ହୋଇଛି। ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇଯାଇଛି। ବାସୁଙ୍ଗା ପାଟରେ ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗରେ ଦୁଇଟି ଏବଂ ଶ୍ରୀବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗରେ ଦୁଇଟି, ଏପରି ୪ଟି ରାକ୍ଷୀ ପ୍ରସ୍ତୁତ ହୋଇଥିଲା। ଚାରିଆଡେ ମଠ, ମନ୍ଦିର ହୋଇଉଠିଛି ଉତ୍ସବମୁଖର । ଗୋମାତା ପୂଜା ବିଧି ଥିବାରୁ ଗୋମାତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧି ସେମାନଙ୍କୁ ପୂଜା କରିଥାନ୍ତି । ଏହି ପର୍ବ ସଭିଙ୍କ ବିଶ୍ବାସ ଭରଷାକୁ ଧରିରଖିଥାଏ। ଜୀବନ ସମ୍ପର୍କ ହୋଇଥାଏ ମଜବୁତ, ସଭିଏ ବାନ୍ଧି ହୋଇଯାନ୍ତି ବିଶ୍ବାସର ବନ୍ଧନରେ।