ଓଡ଼ିଶା365(ବ୍ୟୁରୋ): ସେବାଶ୍ରମ ହଷ୍ଟେଲରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଏହି ଘଟଣା ଜଣା ପଡ଼ିବା ପରେ ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଯାଇଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଏକ ସେବାଶ୍ରମ ହଷ୍ଟେଲ୍ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ କିଛିଦିନ ପୂର୍ବରୁ ଛାତ୍ରୀ ଜଣକ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏହାପରେ ଛାତ୍ରୀ ଜଣକ ଅଳ୍ପଦିନ ମଧ୍ୟରେ ଏକାଧିକ ଥର ଅସୁସ୍ଥ ରହିବାରୁ ରକ୍ତନମୁନା ପରୀକ୍ଷା ପରେ ପ୍ରକୃତ ଘଟଣା ଜଣାପଡ଼ିଥିଲା। ଏହି ଘଟଣାରେ ଜଣେ ଶିକ୍ଷକଙ୍କ ସଂପୃକ୍ତି ଥିବା ଅଭିଯୋଗ ପରେ ଶିକ୍ଷକଜଣକ ଫେରାର୍ ହୋଇଯାଇଛନ୍ତି। ସେହିପରି ଛାତ୍ରୀଙ୍କ ପରିବାରକୁ ବିଭିନ୍ନ ଆଡୁ ଧମକ ମିଳୁଥିବା ବି ଜଣାପଡ଼ିଛି । ଯେଉଁଥିପାଇଁ ଛାତ୍ରୀଙ୍କ ପରିବାରଲୋକ କୋଟଗଡ଼ ଥାନାରେ ଏତଲା ଦେଇନଥିବା ଜଣାପଡ଼ିଛି।