ଓଡ଼ିଶା365(ବ୍ୟୁରୋ): ବିଶ୍ବ ଦୌଡ଼କୁଦର ଇତିହାସ ୪୦ ବର୍ଷର। ୧୯୭୬ରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲେ ମଧ୍ୟ ୧୯୮୩ରେ ଆନୁଷ୍ଠାନିକ ଭାବେ ପ୍ରଥମ ସଂସ୍କରଣ ଖେଳାଯାଇଥିଲା। ସେହିଠାରୁ ଏହି ବିଶ୍ବ ପ୍ରତିଯୋଗିତାର ମର୍ଯ୍ୟଦା ଦୌଡ଼କୁଦ ଦୁନିଆର ସବୁଠାରୁ ବଡ଼ ଉପଲବ୍ଧି ଭାବେ ଗଣାଯାଉଛି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଭାରତ ଏହି ୪୦ ବର୍ଷରେ ମାତ୍ର ୩ଟି ପଦକ ଜିତିଛି। ଏହା ମଧ୍ୟରେ ବିଗତ ଦୁଇ ସଂସ୍କରଣରୁ ନୀରଜଙ୍କ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ରହିଛି। ଏହା ପୂର୍ବରୁ ଭାରତ ଗୋଟିଏ ମାତ୍ର ପଦକ ଜିତିଥିଲା। ଅଞ୍ଜୁ ବବି ଜର୍ଜଙ୍କ କାଂସ୍ୟ ପଦକରେ ସୀମିତ ରହିଥିଲେ। ୨୦୦୩ ସଂସ୍କରଣରେ ଅଞ୍ଜୁ ଲଙ୍ଗ ଜମ୍ପରେ ସିଜିନ୍ର ଶ୍ରେଷ୍ଠ ପ୍ରଦର୍ଶନ (୬.୭୦ ମିଟର୍) ସହିତ କାଂସ୍ୟ ପଦକ ଜିତିଥିଲେ। ପାଖାପାଖି ଅର୍ଦ୍ଧଶତାବ୍ଦୀର ଏହି ବିଶ୍ବ ଦୌଡ଼କୁଦ ଇତିହାସରେ ୧୪୦ କୋଟିର ଦେଶ ଭାରତ ମାତ୍ର ୩ ପଦକରେ ସୀମିତ ରହିବା ସବୁଠାରୁ ଦୁର୍ଭାଗ୍ୟଜନକ ଏବଂ ନିରାଶାଜନକ। ତଥାପି ନୀରଜ ଅଲିମ୍ପିକ୍ ଓ ବିଶ୍ବ ବିଜେତା ହେବା ପରେ ନୂଆ ଭାରତ ନିଶ୍ଚିତ ଉତ୍ସାହିତ ହୋଇ ଅଧିକ ବିଶ୍ବ ବିଜେତାଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଇପାରିବ।