ଓଡ଼ିଶା ୩୬୫ (ବ୍ୟୁରୋ): ବିଶ୍ବାସ ଓ ଭରଷାର ପର୍ବ ରାକ୍ଷୀ। ଏହି ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଟିଏ ମଙ୍ଗଳ ମନାସି ଭାଇ ହାତରେ ବାନ୍ଧେ ଦିଏ ରାକ୍ଷୀ, ସ୍ନେହ ଓ ସୁରକ୍ଷାର ଅଳି କରେ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରେ । ଭଉଣୀର ରାକ୍ଷୀ ବଦଳରେ ଭାଇ ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ,ତାର ସୁଖ ଦୁଖଃରେ ସାଥି ହୋଇଥାଏ। ସାରା ଭାରତ ବର୍ଷରେ ଝିଅମାନେ ଏହି ସୁନ୍ଦର ପର୍ବଟିକୁ ଅତି ଆଗ୍ରହର ସହ ପାଳନ କରିଥାନ୍ତି। ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀ ଠାରୁ ଭାଦ୍ରବ ପ୍ରତିପଦା ପର୍ୟ୍ୟନ୍ତ ସାତଦିନ ଯାଏ ରାଧାକୃଷ୍ଣଙ୍କୁ ମନୋରମ ଭାବେ ସଜାଇ ଝୁଲଣାରେ ବସାଇ ଦୋଳି ଖେଳାଯାଏ। ତେଣୁ ଏହି ପର୍ବକୁ ଝୁଲଣ ଯାତ୍ରା ବା ଝୁଲଣ ପୂର୍ଣ୍ଣିମା କୁହାଯାଇଥାଏ। କୃଷ୍ଣଙ୍କର ବଡ଼ଭାଇ ବଳରାମ ଏହିଦିନରେ ଜନ୍ମ ହୋଇଥିଲେ। ଏଣୁ ଏହା ବଳରାମ ଜୟନ୍ତୀ ନାମରେ ମଧ୍ୟ ନାମିତ ହୋଇଥାଏ । ପ୍ରତିବର୍ଷ ଶ୍ରୀମନ୍ଦିରରେ ପାଟରା ବିଷୋଇ ସେବକଙ୍କ ଦ୍ବାରା ଦିଆଯାଉଥିବା ରାଖି ‘ଗହ୍ମାଫୁଲି’ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀଭୁଜରେ ଲାଗି କରାଯାଏ। ପୁଣି ଏହିଦିନରେ ଗୋମାତା ପୂଜନ ବିଧି ଥିବାରୁ ଗୋମାତାଙ୍କ ଶିଙ୍ଗରେ ରାଖି ବାନ୍ଧି ସେମାନଙ୍କ ପୂଜା କରିଥାନ୍ତି। ତେଣୁ ଏହାକୁ ମଧ୍ୟ ଗହ୍ମାପୂର୍ଣ୍ଣିମା କୁହାଯାଏ।
ପୁରାଣର କଥା ଅନୁସାରେ, ଅନେକ ବର୍ଷ ଧରି ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା। ଦେବରାଜ ଇନ୍ଦ୍ରଙ୍କ ଦେବତାମାନେ ଅସୁରଙ୍କଠାରୁ ପରାସ୍ତ ହୋଇଥିଲେ। ଅସୁରମାନେ ସ୍ବର୍ଗ ଦଖଲ କଲେ। ଉପାୟଶୂନ୍ୟ ହୋଇ ଦେବରାଜ ଇନ୍ଦ୍ର ଶ୍ରାବଣ ଚତୁର୍ଦ୍ଦଶୀ ଦିନ ଦେବଗୁରୁ ବୃହସ୍ପତିଙ୍କ ଶରଣ ପଶିଲେ। ପରଦିନ ପୂର୍ଣ୍ଣମୀରେ ରକ୍ଷାକରିବେ ବୋଲି ଦେବଗୁରୁ ପ୍ରତିଶ୍ରୁତି ଦେଇଥିଲେ । ଦେବଗୁରୁ ବୃହସ୍ପତି ନିଜ ବଚନ ଅନୁଯାୟୀ ପୂର୍ଣ୍ଣମୀ ଦିନ ଦେବରାଜ ଇନ୍ଦ୍ରଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଲେ। ଇନ୍ଦ୍ରାଣୀ ମଧ୍ୟ ଇନ୍ଦ୍ରଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଲେ। ଏହାପରେ ଅସୁରମାନଙ୍କ ସହ ଲଢ଼ି ଦେବତାମାନେ ବିଜୟ ଲାଭ କରିଥିଲେ। ପ୍ରାଚୀନକାଳରେ ଗୁରୁ କିମ୍ବା ପତ୍ନୀ ରକ୍ଷାସୂତ୍ର ବାନ୍ଧିବାର ପ୍ରଥା ଥିଲା। କାଳକ୍ରମେ ଭଉଣୀ ରକ୍ଷାସୂତ୍ର ବାନ୍ଧିବାର ବିଧି ପ୍ରଚଳିତ ହେଲା।
ମହାଭାରତରେ ଶ୍ରୀକୃଷ୍ଣ ଯେତେବେଳେ ଶିଶୁପାଳକୁ ବଧ କରିଥିଲେ ସେତେବେଳେ ସେ ଆହତ ହୋଇଥିଲେ, ତାଙ୍କ ଆଙ୍ଗୁଠି କଟି ରକ୍ତ ଝରୁଥିବା ଦେଖି ଦ୍ରୌପଦୀ ତୁରନ୍ତ ଶାଢ଼ିର କାନି ଚିରି କୃଷ୍ଣଙ୍କ ରକ୍ତାକ୍ତ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ । କୁରୁସଭାରେ ଦୁଃଶାସନର ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ବସ୍ତ୍ର ଦେଇ ପ୍ରିୟ ସଖୀଙ୍କର ମାନରକ୍ଷା କରିଥିଲେ।