ଓଡ଼ିଶା 365 (ବ୍ୟୁରୋ): ବିଜେଡିରୁ ବହିଷ୍କୃତ ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ମିଶିବାକୁ ପ୍ରସ୍ତୁତ ହେଉଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ କୁଆଡେ ରହିଛି ତାଙ୍କର ଭିତିରି ସମ୍ପର୍କ। ବିଜେପି ନେତାଙ୍କୁ ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି ପାଇଁ ଯେଉଁ ପ୍ରଶାନ୍ତଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ଏବେ ତାଙ୍କୁ ବିଜେପି କୋଳେଇ ନେବାକୁ ଯାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଚିଲିକା ବିଧାୟକ ବିଜେପିକୁ ଯାଉଥିବା ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏକ କଡ଼ା ବୟାନ ଦେଇଛନ୍ତି । ସେପଟେ ପାଲଟା ଜବାବରେ ବିଜେପି କହିଛି, ପ୍ରଶାନ୍ତ ଜଗଦେବଙ୍କର ବିଜେପି ସହ ନାହିଁ କୌଣସି ସମ୍ପର୍କ । କେନ୍ଦ୍ରମନ୍ତ୍ରୀଙ୍କ ସହ ହୋଇନାହିଁ କୌଣସି ଯୋଗାଯୋଗ ,ଏହା ଡାହା ମିଛ। ଏହି କଥାରେ ନାହିଁ କୌଣସି ସତ୍ୟତା । ସସ୍ମିତ ପ୍ରମାଣ ଥିଲେ ଦିଅନ୍ତୁ ବୋଲି କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।
ସେ ଆହୁରୀ ମଧ୍ୟ କହିଛ ନ୍ତି ଯେ, ଭବନରୁ ତାଙ୍କ ଦଳର ନେତାମାନଙ୍କୁ ବିଧାୟକଙ୍କ ସହ ନ ମିଶିବାକୁ ତାଗିଦ କରାଯାଇଛି । ବିଜେଡି ଏକ ବାରୁଦ ଗଦାରେ ବସିଛି । ସାମାନ୍ୟ ନିଆଁ ଲାଗିଲେ ଦଳ ବିସ୍ପୋରଣ ହେବ ଓ ଖଣ୍ଡ ବିଖଣ୍ଡିତ ହୋଇଯିବ । ତେଣୁ ଜ୍ୱର ଦାଉରେ ତାଟିଆ କାମୁଡୁଛି ବିଜେଡି । ତୃତୀୟ ମହଲାର ଇଙ୍ଗିତରେ ଏସବୁ କହୁଛନ୍ତି ସସ୍ମିତ । ବର୍ଷକରେ ୨୨ ପ୍ରତିଶତ କମିଛି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା । ସେଥିପାଇଁ ନୂଆ ମୁହଁ ଖୋଜି ଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସାରା ବୁଲାଯାଉଛି । ଏହି ସରକାରୀ ବାବୁଙ୍କ ବିରୁଦ୍ଧରେ ଯିଏ କହିଲା ତାଙ୍କୁ ଆକ୍ରମଣ ମଧ୍ୟ କରାଯାଉଛି। ସେପଟେ ପ୍ରଶାନ୍ତଙ୍କୁ ନେଇ ସରୁନି ବିଜେଡି-ବିଜେପି ମଧ୍ୟରେ କଥା କଟାକଟି । ପ୍ରକୃତରେ କୁଆଡେ ଯିବେ ବାହୁବଳି ବିଧାୟକ ପ୍ରଶାନ୍ତ ? ବିଜେଡିରେ ରହି ୨୪ ନିର୍ବାଚନ ଲଢିବେ,ନା ବିଜେପି ଆଡକୁ ଢଳିବେ ?