ଓଡ଼ିଶା 365 (ବ୍ୟୁରୋ) : ଭାରତରେ ଜି୨୦ ବୈଠକକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦମିର୍ ପୁଟିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ପିଏମ୍ଓ ପକ୍ଷରୁ ଏକ ବିବୃତି ଅନୁଯାୟୀ, ଉଭୟ ନେତା ମହାକାଶ ସହଯୋଗ, ବ୍ରିକ୍ସ ସମ୍ପ୍ରସାରଣ ଏବଂ ଆଗାମୀ ଜି-୨୦ ବୈଠକ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। କ୍ରେମଲିନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ବୃହତ୍ତର ଶକ୍ତି ପ୍ରକଳ୍ପ ସହିତ ଅନ୍ତର୍ଜାତୀୟ ପରିବହନ ଓ ଲଜିଷ୍ଟିକ୍ ଭିତ୍ତିଭୂମି ସମ୍ପ୍ରସାରଣକୁ କାର୍ୟ୍ୟକାରୀ କରିବାପାଇଁ ଉଭୟ ପୁଟିନ ଏବଂ ମୋଦୀ ରାଜି ଅଛନ୍ତି। ଭାରତର ଚନ୍ଦ୍ରଯାନ-୩ ସଫଳତା ପାଇଁ ପୁଟିନ ପୁଣିଥରେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ମୋଦୀଙ୍କ ସହ କଥାବାର୍ତ୍ତା ସମୟରେ ପୁଟିନ ଆସନ୍ତା ସେପ୍ଟେମ୍ବର ୯-୧୦ରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଯୋଗ ଦେଇପାରିବେନି ବୋଲି କହିଛନ୍ତି ।