ଓଡ଼ିଶା 365 (ବ୍ୟୁରୋ): ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । ଏନେଇ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର। ଏହି କ୍ରମରେ ଆମ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଚାଲିଛି ବିଶ୍ୱର ସର୍ବବୃହତ ରାକ୍ଷୀ । ଶ୍ରୀମନ୍ଦିର ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ ଅଲିଅଳି ଭଉଣୀ ମା ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ। ସେପଟେ କିନ୍ତୁ ରାକ୍ଷୀ ପୂର୍ଣ୍ଣିମାର ତାରିଖକୁ ନେଇ ଦେଖାଦେଇଛି ଦ୍ୱନ୍ଦ । ଶ୍ରୀମନ୍ଦିରରେ ଆସନ୍ତା ୩୧ ତାରିଖରେ ଗହ୍ମା ପୂର୍ଣ୍ଣମୀ ବା ବଳଭଦ୍ର ଜନ୍ମନୀତି ପାଳନ ହେବାକୁ ଥିବାବେଳେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରରେ ୩୦ ତାରିଖ ଦିନ ବଳଭଦ୍ର ଜନ୍ମନୀତି ପାଳିତ ହେବ । ଓଡ଼ିଶାରେ ସେହି ୩୦ ତାରିଖ ଦିନ ହିଁ ରାକ୍ଷୀ ପୂର୍ଣିମା ,ଚନ୍ଦ୍ର ପୂଜା ,ଗହ୍ମା ପୂର୍ଣ୍ଣମୀ ନୀତି ପାଳିତ ହେବା ଉଚିତ୍ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇଥିବା ପାଞ୍ଜିରେ ଗହ୍ମା ପୂର୍ଣ୍ଣମୀ ପାଳନ ଦିନକୁ ନେଇ ଦ୍ୱନ୍ଦ୍ୱ ରହିଛି ।
ତେବେ ଆସନ୍ତା ୩୦ ତାରିଖ ସକାଳ ୧୦.୩୦ ପରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବାର ପ୍ରକୃଷ୍ଟ ସମୟ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି । ସେପଟେ ଶ୍ରୀମନ୍ଦିର ନୀତିକାନ୍ତି ଆଧାରରେ ଆସନ୍ତା ୩୧ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ବା ବଳଭଦ୍ରଙ୍କ ଜନ୍ମତ୍ସୋବ ପାଳନ କରାଯିବା ଉଚିତ୍ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି । ସେପଟେ ରକ୍ଷା ବନ୍ଧନ ପାଇଁ ଶ୍ରୀମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି । ରାକ୍ଷୀ ତିଆରିରେ ବ୍ୟସ୍ତ ଅଛନ୍ତି ପାଟରା ବିଷୋୟୀ ସେବାୟତ । ତିଆରି ଚାଲିଛି ଚାରୋଟି ବଡ଼ ରାକ୍ଷୀ ସହ ଗୁଆମାଳ । ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ ତିଆରି ହେଉଛି ।