ଓଡ଼ିଶା 365 (ବ୍ୟୁରୋ): ୩ ଦିନିଆ ଯାଜପୁର ଗସ୍ତରେ ଅଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍। ଏହି ସମୟରେ କିଛି ଯୁବକ ୫-ଟି ଲେଖାଥିବା ଟି-ସାର୍ଟ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି । ଏପରିକି କଂଗ୍ରେସ କର୍ମୀଙ୍କ ସହ ଗଣ୍ଡଗୋଳ ସମୟରେ ଉକ୍ତ ଟି-ସାର୍ଟ ପିନ୍ଧି କିଛି ଯୁବକ ମାରପିଟ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଯୁବକମାନେ କିଏ ତାକୁ ନେଇ ସବୁଠି ପ୍ରଶ୍ନ ଉଠିଛି । ସେମାନେ ହାତରେ ବାଡି ଧରି ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏମାନେ ବିଜେଡି କର୍ମୀ ନା ୫-ଟି ସଚିବଙ୍କ ସମର୍ଥକ ଲା ଭଡ଼ାଟିଆ ଗୁଣ୍ଡା ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ଦେଖାଦେଇଛି ।
ସୂଚନାଯୋଗ୍ୟ ଯେ, ଆଜି ଠୁ ୩ ଦିନିଆ ଯାଜପୁର ଗସ୍ତରେ ଅଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍। ଏହି କ୍ରମରେ ଆଜି ଯାଜପୁର ରୋଡର ଚାନ୍ଦମା ପଡିଆରେ ସଭା କରିଛନ୍ତି ୫-ଟି ସଚିବ । କଂଗ୍ରେସ କର୍ମୀଙ୍କ ହଙ୍ଗାମା ସତ୍ୱେ ସଭା କରି ଲୋକଙ୍କ ସମସ୍ୟା ଶୁଣିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ । ଏହାପରେ ଲୋକଙ୍କ ଠାରୁ ସଚିବ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି । ଅନ୍ୟପଟେ ୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ମୁଣ୍ଡରେ କଳା ପଟି ବାନ୍ଧି କଂଗ୍ରେସ କର୍ମୀ ସଭାସ୍ଥଳକୁ ଧସେଇ ପଶି ହଙ୍ଗାମା କରିଛନ୍ତି । ସଚିବଙ୍କ ବିରୋଧରେ ନାରା ବାଜି କରିଛନ୍ତି । ଏହାକୁ ରୋକିବାକୁ ୫-ଟି ଲେଖାଥିବା ଟି-ସାର୍ଟ ପିନ୍ଧି କିଛି ଯୁବକ ମାରପିଟ୍ କରୁଥିବା ଦେଖିବାକୁ ମିଳିଛି ।