ଓଡ଼ିଶା 365 (ବ୍ୟୁରୋ) :
ଜାମିନ୍ ପାଇବାର କିଛି ସମୟ ପରେ ପୁଣି ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଇମ୍ରାନ ଖାନଙ୍କୁ ଅଗଷ୍ଟ ୫ ତାରିଖରେ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣା ଯାଇଥିଲା। ହେଲେ ଆଜି ତାଙ୍କୁ ଇସଲାମାବାଦ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ଏହି ଖବର ଇମ୍ରାନଙ୍କ ସମର୍ଥକଙ୍କୁ ଖୁସି ଦେଇଥିବା ବେଳେ ଏହି ଖୁସି ମାତ୍ର କିଛି ସମୟ ପର୍ୟ୍ୟନ୍ତ ରହିଥିଲା। କାରଣ ଜାମିନ ମିଳିବା ପରେ ଏବେ ଆଉ ଏକ ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଛି। ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳେ ବିଭିନ୍ନ ବିଦେଶ ଗସ୍ତ ସମୟରେ ପାଇଥିବା ଦାମି ଉପହାରଗୁଡିକୁ ଚଞ୍ଚକତା କରି ଲୁଟ କରଥିବା ଅଭିଯୋଗ ହୋଇଥିଲା ।
ପାକିସ୍ତାନ ନିୟମ ଅନୁସାରେ ଏହି ଉପହାରଗୁଡିକ ଜାତୀୟ ସମ୍ପତ୍ତି ଓ ଏହାକୁ ତୋଷଖାନାରେ ରଖାଯାଏ । ଇମ୍ରାନ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ 3 ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲେ । ଏବେ ସେ ବେଲରୁ ଜେଲରୁ ମୁକୁଳିବା ପରେ ପାକିସ୍ତାନ ରାଜନୀତିରେ ପୁଣି ସକ୍ରିୟ ନଜର ଆସିବା ଚର୍ଚ୍ଚା ମଧ୍ୟ ଆରମ୍ଭ ହେଲାଣି । ମିଳିଥିବା ସୂଚନା ମୁତାବକ, ଇମ୍ରାନ ଖାନ ପାକିସ୍ତାନରେ କ୍ଷମତାରେ ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟରେ ଏକ ଗୁପ୍ତ କୂଟନୈତିକ କେବୁଲ ସିଫରର ଅପବ୍ୟବହାର କରିଥିଲେ। ଏହି ମାମଲାରେ ଇମ୍ରାନଙ୍କୁ ଆଜି ଗିରଫ କରାଯାଇଛି ଏବଂ ସେ ଅଗଷ୍ଟ ୩୦ପର୍ୟ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ।